ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ଗାଁରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି | ରାଜନୈତିକ ଦଳର ମନ୍ତ୍ରୀ ନେତା ଏବେ ରାଜଧାନୀ ଛାଡି ଗାଁ ଗହଳିରେ ଡେରା ପକାଇଛନ୍ତି | କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ କାକଟପୁର ନିର୍ବାଚନ ମଣ୍ଡଳୀରେ ମାରାଥନ୍ ପ୍ରଚାର ଦେଖିବାକୁ ମିଳିଛି | ଗୋପ ବ୍ଲକର ୧୨ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପୁଷ୍ପା ରାଣୀ ସ୍ବାଇଁଙ୍କ ପାଇଁ ମନ୍ତ୍ରୀ ତୁଷାର କାନ୍ତି ବେହେରା କରୁଛନ୍ତି ପ୍ରଚାର ।
କାକଟପୁର ନିର୍ବାଚନ ମଣ୍ଡଳୀର ତିନୋଟି ପଞ୍ଚାୟତ ଯଥା ବଡ଼ଗାଁର ସରପଞ୍ଚ ପ୍ରାର୍ଥୀନୀ ସୁଭଦ୍ରା ପ୍ରଧାନ, ସମିତି ସଭ୍ୟ ପ୍ରାର୍ଥୀ ବିଜୟା ନନ୍ଦ କରଣ, ସୁତନ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ମେନକା ବେହେରା, ସମିତି ସଭ୍ୟ ପ୍ରାର୍ଥୀ କାଶୀନାଥ ନାୟକ, ବନାଖଣ୍ଡି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ସୁଚିସ୍ମିତା ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀନୀ ଗୀତାଞ୍ଜଳି ମଲ୍ଲିକ ପ୍ରମୁଖ ଶୋଭାଯାତ୍ରାରେ ବାହାରି ପ୍ରାୟ ୩୦ଟି ଗ୍ରାମ ବୁଲି ଭୋଟ ଭିକ୍ଷା କରିଥିଲେ । ଶୋଭା ଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରିବାବେଳେ ପ୍ରଥ ପ୍ରାନ୍ତ ସଭା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ବିଭିନ୍ନ ଲୋକାଭିମୁଖି ଯୋଜନା, ଗାଁ ର ବିକାଶ କଥା କହି ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭୋଟରଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ନିବେଦନ କରିଥିଲେ । ଏଥି ସହ ସମସ୍ତ ପ୍ରାର୍ଥୀ ମଧ୍ୟ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ନିଜ ଚିହ୍ନର ପୁସିଂ କାର୍ଡ ଧରି ଘର ଘର ବୁଲି ବାଣ୍ଟିବା ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।