ଟାହିଟାପରା ଉଜାଡ଼ି ଦେଲା ଏକ ହସଖୁସିର ସଂସାର । ସ୍ୱାମୀଙ୍କ ମୃତ୍ୟୁର ୧୦ଦିନ ପରେ ଆଖି ବୁଜିଲେ ସ୍ତ୍ରୀ | ଗତ ପଞ୍ଚାୟତ ନିର୍ବାଚନ ହାରିବା ପରେ ପ୍ରତିପକ୍ଷ ବିଜୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ଟାହିଟାପରା ହୋଇଥିଲା ଅସହ୍ୟ | ଫଳରେ ମାନସିକ ଭାରସାମ୍ୟ ହରାଇ ସ୍ୱାମୀ ରମାକାନ୍ତ ପରିଡ଼ା ଦଉଡି ଲଗାଇ କରିଥିଲେ ଆତ୍ମହତ୍ୟା । ସ୍ୱାମୀଙ୍କ ମୃତ୍ୟୁକୁ ସହି ନପାରି ସ୍ତ୍ରୀ ସୁମତି ପରିଡ଼ା ମଧ୍ୟ ପିଇ ଦେଇଥିଲେ ବିଷ| ହସ୍ପିଟାଲରେ ଦୀର୍ଘ ୧୦ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଜି ଆଖି ବୁଜିଦେଲେ ପତ୍ନୀ ସୁମତି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ |
ସ୍ୱାଧୀନ ଦଳ ପକ୍ଷରୁ ସମିତି ସଭ୍ୟାପ୍ରାର୍ଥୀ ହୋଇ ହାରି ଯାଇଥିଲେ ସୁମତି ପରିଡା । ବିଜୟୀ ପ୍ରାର୍ଥୀମାନେ ଶୋଭାଯାତ୍ର କରିବା ସମୟରେ ପଦ୍ମପୁର ପଞ୍ଚାୟତର ପରାଜିତ ସମିତି ସଭ୍ୟା ପ୍ରାର୍ଥୀନି ସୁମତି ପରିଡାଙ୍କ ସ୍ୱାମୀ ରମାକାନ୍ତଙ୍କୁ ଅନେକ ଟାହିଟାପରା କରିଥିଲେ | ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ସୁମତି ବିଷ ପିଇ ଦେଇଥିଲେ । ସୁମତିଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ଏବେ ରମାକାନ୍ତଙ୍କ ଦଶାହରେ ସ୍ତ୍ରୀ ସୁମତି ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବର ମିଳିବା ପରେ ଗାଁ ରେ ଶୋକର ଛାୟା ଖେଳି ଯାଇଛି ।