<h4><strong>ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗହଳିରେ ମାହୋଲ ପୁରା ସରଗରମ | ଜୋରଦାର ହେଲାଣି ନିର୍ବାଚନୀ ପ୍ରଚାର | ତେବେ ନିର୍ବାଚନରେ କିଏ ଜିତିବ କିଏ ହାରିବ ତାକୁ ନେଇ ଏବେଠାରୁ ଚାଲିଲାଣି ଅଙ୍କକଷା। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ଶାସକ ବିଜେଡି, କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ତ୍ରିମୂଖୀ ଲଢେଇ ହେବ ବୋଲି ଆକଳନ କରାଯାଉଛି। ଶାସନରେ ଥାଇ ଶାସକ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଧିରେ ଧିରେ ଲୋକପ୍ରିୟତା ବୃଦ୍ଧି ପାଉଥିବା ଭାରତୀୟ ଜନତା ପାର୍ଟି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଚର୍ଚ୍ଚା ଜୋର ଧରିଛି। ତିର୍ତ୍ତୋଲ ବ୍ଲକ ବିଜେପି ସଂଗଠନରେ ଏବେ ଚର୍ଚ୍ଚିତ ନେତାଙ୍କ ଆବିର୍ଭାବକୁ ନେଇ ହଟ୍ଟଚମଟ ସୃଷ୍ଟି ହୋଇଛି। ୨୦୧୨ ମସିହାରେ ତିର୍ତ୍ତୋଲ ବ୍ଲକ ବିଜୁ ଜନତା ଦଳର ସଭାପତି ଅଶୋକ କୁମାର ମହାନ୍ତି ସାଂଗଠନିକ ସଫଳତା ପାଇବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ | </strong></h4> https://youtu.be/l0JB7NO10Qg <h4><strong>ବିଜେପି ରାଜ୍ୟ ସଂଗଠନର ଆଗଧାଡିର ନେତା ଭାବେ ପରିଚିତ ଅଶୋକ ଏବେ ତିର୍ତ୍ତୋଲ ରାଜନୀତିରେ ସକ୍ରିୟ ହୋଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଂଗଠକ ଅଶୋକ ନିଜ ଧର୍ମପତ୍ନୀ ରେବତୀ ମହାନ୍ତିଙ୍କୁ କନକପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା କରାଇବା ସହ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତ ଓ ୪ଟି ଜିଲ୍ଲା ପରିଷଦ ଜୋନରେ ବିଜେପିର ସଫଳତା ପାଇଁ ଅଣ୍ଟା ଭିଡିଛନ୍ତି। ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ବିଜେପି କର୍ମୀ ଓ ସମର୍ଥକମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ବିଜେପି ନେତା ଅଶୋକ କୁମାର ମହାନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ନୂଆପଡାଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଜେଡିର ଦୀର୍ଘ ୨୨ ବର୍ଷର ଶାସନରେ ତିର୍ତ୍ତୋଲର ବିଭିନ୍ନ ଗ୍ରାମରେ ଅନେକ ସମସ୍ୟା ରହିଛି। ଲୋକ ଚାଳଛପର ଘର ଉପରେ ପଲିଥିନ ଟାଣି ଏବେ ବି ଦୁଖଃ ଦୁର୍ଦ୍ଦିନରେ ରହୁଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକ ଉଚିତ ଜବାବ ଦେବେ। କଂଗ୍ରେସ ଦଳ ବୁଡି ବୁଡି ଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ନିଶ୍ଚୟ ସଫଳତା ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଶୋକ କୁମାର ମହାନ୍ତି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନିର୍ଣ୍ଣାୟକ ଭୂମିକା ନେବ ବୋଲି ଦୃଢୋକ୍ତି ପ୍ରକାଶ କହିଛନ୍ତି।।</strong></h4>