ସୁଜଳା, ସୁଫଳା ଶସ୍ୟ ଶ୍ୟାମଳା …. ଅରଣ୍ୟ, କୁନ୍ତଳା, ନଦୀ ନିର୍ଝରିଣୀ ବିମଣ୍ଡିତ ଭାରତବର୍ଷ | ଯେଉଁଠି ସୂର୍ଯ୍ୟର ସୁନେଲି କିରଣରେ ହୁଏ ସକାଳ ଆଉ ସଂଜବତିରେ ସନ୍ଧ୍ୟା | ଯେଉଁଠି କୋଟିକୋଟି ଲୋକଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଅଛି, ଯେଉଁଠି ସଂସ୍କୃତିର ନାଦରେ ଭାରିଯାଏ ଆଧ୍ୟାତ୍ମିକର ମହକ, ଯେଉଁଠି ଓଡ଼ିଆ ପାଳନ କରେ ବାର ମାସରେ ତେର ପର୍ବ | ଯେଉଁଦିନ ମୋ ଓଡ଼ିଆ ବର୍ଷର ହୋଇଥାଏ ଶୁଭାରମ୍ଭ, ଯେଉଁଦିନ ପାଞ୍ଜି ନିର୍ଘଣ୍ଟ କରାଯାଇ ସ୍ଥିର କରାଯାଏ ଓଡ଼ିଆ ବର୍ଷର ପ୍ରଥମ ଦିନ। ଆଜି ହେଉଛି ସେହି ଦିନ। ଏହା କୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ ବର୍ଷର ପୃଷ୍ଠଭୂମି ବିଷୁବ ସଂକ୍ରାନ୍ତି ||
ଆଜି ହେଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟାନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ ଆଜିର ଦିନଟି । ଆମ ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ଓଡିଆ ନୂଆ ବର୍ଷ କୁହାଯାଏ ।
ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହେଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ଏହି ଦିନଠାରୁ ଏକ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରନ୍ତି। ଆଉ ଆମ ଓଡ଼ିଆ ପରମ୍ପରାରେ ଦୋଳ ପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ନୂଆପାଞ୍ଜି ଆଜିର ଦିନରେ ଆରମ୍ଭ କରାଯାଇଥାଏ । ପୁରାଣ ଅନୁଯାୟୀ ଏହି ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ। ସୂର୍ଯ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ସୂର୍ଯ୍ୟଙ୍କ ପ୍ରବଳ ତାପ ଯୋଗୁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ। କେବଳ ଓଡ଼ିଶା ନୁହେଁ ପଞ୍ଜାବ ଓ ହରିଆଣାରେ ମଧ୍ୟ ବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ବୋଲି ଗଣନା କରାଯାଏ।ସେମାନେ ଏହି ଦିନକୁ ବୈଶାଖୀ ଭାବେ ପାଳନ କରନ୍ତି | ପର୍ବ ସିନା ଗୋଟାଏ କିନ୍ତୁ ନାଁ ରହିଛି ଅନେକ । ଯେମିତି ଅହମୀୟଙ୍କ ପାଇଁ ଏହା ବୋହାଗ ବିହୁ ଏବଂ ବଙ୍ଗୀୟଙ୍କ ପାଇଁ ପହେଲା ବୈଶାଖ । ସେହିପରି ବିହାରୀଙ୍କ ପାଇଁ ବୈଶାଖ, ତାମିଲଙ୍କ ପାଇଁ ପୁଥାଣ୍ଡୁ ଓ କେରଳୀ ପରମ୍ପରାରେ ଏହା ବିଶୁ ଭାବେ ପାଳିତ ହେଉଛି ।
କିନ୍ତୁ ଓଡ଼ିଶାରେ ନିଆରା ଭାବରେ ଏହି ପର୍ବଟିକୁ ପାଳନ କରିଥାନ୍ତି । ଯେମିତିକି ଓଡ଼ିଆଣୀମାନେ ଅଗଣାରେ ଥିବା ତୁଳସୀ ଚଉରା ଉପରେ ଛାମୁଣ୍ଡିଆ କରି ଏକ ପାଣି ଭର୍ତ୍ତି ଛୋଟ ଠେକି ରଖିଥାନ୍ତି। ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷା ଆଗମନକୁ ସୂଚାଇଥାଏ । ଆଉ ଏହି ଠେକିକୁ ବସୁନ୍ଧରା ଠେକି ବୋଲି କୁହାଯାଏ। ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ।
ଖାଲି ସେତିକି ନୁହେଁ, ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଓଡ଼ିଆ ପରିବାରରେ ଦେବାଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ। ତେଣୁ ଏହି ଦିନକୁ ମହାବୀର ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନକୁ ଆହୁରି ଅଧିକ ସ୍ଵତନ୍ତ୍ର କରିଥାଏ ପଣା। ସେଥିପାଇଁ ପଣା ସଂକ୍ରାନ୍ତି ବୋଲି ସମସ୍ତେ କହିଥାନ୍ତି। କେବଳ ଏତିକି ନୁହେଁ ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ।