ଗତ ସୋମବାର ଦିନ ପଞ୍ଜଶିରକୁ ସମ୍ପୂର୍ଣ୍ଣ ଭାବେ କବ୍ଜା କରିଥିବା ନେଇ ତାଲିବାନ ଦାବି କରିଥିଲା। ଏମିତିକି ପଞ୍ଜଶିର ଗଭର୍ଣ୍ଣର ଅଫିସ ଆଗରେ ଛିଡ଼ା ହୋଇ ତାଲିବାନ ନିଜର ପତାକା ମଧ୍ୟ ଉଡାଇଥିଲା । ଏ ନେଇ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ବର୍ତ୍ତମାନ ପଞ୍ଜଶୀର ତାଲିବାନ ଅଧୀନରେ ଥିବା ନେଇ ଦାବି ମଧ୍ୟ କରିଥିଲେ। ଏଥି ସହିତ ଯଦି ଆଫଗାନିସ୍ତାନରେ ବର୍ତ୍ତମାନ କେହି ସରକାର ଗଠନରେ ବାଧା ସୃଷ୍ଟି କରନ୍ତି, ତେବେ ତାଙ୍କୁ ପଞ୍ଜଶିର ଭଳି ସ୍ଥିତି ଭୋଗିବାକୁ ପଡିବ ବୋଲି ଧମକ ମଧ୍ୟ ଦେଇଥିଲେ। ସେପଟେ ପଞ୍ଜଶିରରେ ଅକ୍ତିଆରରେ ନର୍ଦ୍ଦନ ଆଲିଆନ୍ସ ନାମକ ସଙ୍ଗଠନ ଗୋରିଲା ଯୁଦ୍ଧ ଜରିଆରେ ତାଲିବାନକୁ କଡା ଟକ୍କର ଦେଉଛି । କିନ୍ତୁ ବର୍ତ୍ତମାନ ଯାଏଁ ସେମାନେ ହାର୍ ମାନି ନଥିବା ପ୍ରକାଶ କରିଛନ୍ତି । ଆଫଗାନିସ୍ତାନର ପୂର୍ବତନ ରାଷ୍ଟପତି ଅମରୁଲ୍ଲା ସାଲେ ଏବଂ ଅହମଦ ମାସୁଦ ଏହି ନର୍ଦ୍ଦନ ଆଲିଆନ୍ସର ନେତୃତ୍ୱ ନେଇଛନ୍ତି। ଗତ ସୋମବାର ଦିନ ତାଲିବାନର ଦାବିକୁ ଖଣ୍ଡନ କରିବା ସହିତ ମାସୁଦ , ନର୍ଦ୍ଦନ ଆଲିଆନ୍ସ ରକ୍ତର ଶେଷ ବିନ୍ଦୁ ଯାଏ ଲଢ଼େଇ ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ପଞ୍ଜଶିରକୁ କବ୍ଜା କରିବା ପାଇଁ ଗତ ୨୫ ଦିନ ହେଲା ସଂଘର୍ଷ ଜାରି ରହିଛି। ଏହି ସଂଘର୍ଷ ରେ ତାଲିବାନର ଆକ୍ରମଣରେ ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର ଏବଂ ଜେନରାଲ ପ୍ରାଣ ହରାଇଥିଲେ । ଏହା ପରେ ବିଦ୍ରୋହୀ ବାହିନୀ ଏନ୍ଆରଏଫ୍ ନେତା ଅହମଦ ମାସୁଦ କହିଥିଲେ ଯେ, ତାଲିବାନ ପାକିସ୍ତାନଠାରୁ ସହଯୋଗ ପାଉଛି। ପଞ୍ଜଶିର ଉପରେ ଆକ୍ରମଣ ପାଇଁ ତାଲିବାନ ସକ୍ଷମ ନୁହେଁ। ଏଥିପାଇଁ ପାକିସ୍ତାନ ଡ୍ରୋନ୍ ଏବଂ ହେଲିକପ୍ଟର ଦ୍ୱାରା ତାଲିବାନକୁ ସହଯୋଗ କରୁଛି। ସେପଟେ ତାଲିବାନ ମାମଲାରେ ପାକିସ୍ତାନର ହସ୍ତକ୍ଷେପକୁ ନିନ୍ଦା କରିଛି ଇରାନ । ପ୍ରଥମ ରାଷ୍ଟ୍ର ଭାବେ ଇରାନ ଏହି ପ୍ରସଙ୍ଗରେ ଆପତି ଉଠାଇଛି । ବିଶେଷ କରି ଆଫଗାନିସ୍ତାନର ଅଭେଦ୍ୟ ଗଡ କୁହାଯାଉଥିବା ପଞ୍ଜଶୀର ଦଖଲରେ ପାକିସ୍ତାନ ସେନା ତାଲିବାନୀଙ୍କ ସହାୟତା କରିଥିବାରୁ ଇରାନ ପକ୍ଷରୁ ଏହାର ତଦନ୍ତ ଦାବି କରାଯାଇଛି ।
#taliban #afghanistan #NNSODIA