ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଦାବିରେ ଭୁବନେଶ୍ୱରରେ ଚାଲିଛି ପାଇକ ସମାବେଶ । ପାଇକ ପୁଅର ମାଟି ବରୁଣେଇ ପୀଠରୁ କେନ୍ଦ୍ର ବିରୋଧରେ ଦିଆଯାଇଛି ରଣହୁଙ୍କାର । ୫ ହଜାର ପାଇକଙ୍କୁ ନେଇ ଏକ ବିଶାଳ ରାଜ୍ୟସ୍ତରୀୟ ଜନଗର୍ଜନ ସମାବେଶ ଅନୁଷ୍ଠିତ ହେଉଛି । ବରୁଣେଇ ପୀଠରୁ ଭୁବନେଶ୍ବର ଅଭିମୁଖେ ବାହାରିଛି ଶୋଭାଯାତ୍ରା । ମାଷ୍ଟର କ୍ୟାଣ୍ଟିନରୁ ଏକାମ୍ର ହାଟ ଯାଏଁ କରିବେ ଶକ୍ତି ପ୍ରଦର୍ଶନ । ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ଲାଲକିଲ୍ଲାରେ ପାଳନ କରାଯିବ । ଏହା ସତ୍ୱେ ଦାବି ପୂରଣ ନହେଲେ ସଂସଦ ଘେରାଉ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମନା କରିବା ପରେ ରାଜ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ଦେଶ ପାଇଁ ପ୍ରଥମ ଥର ବିଦ୍ରୋହର ସ୍ବର ଉଠାଇ ମାଆ ମାଟି ପାଇଁ ଜୀବନ ଦେଇଥିବା ଓଡ଼ିଶାର ପାଇକ ବୀରଙ୍କୁ କେନ୍ଦ୍ରର ଅବହେଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରି ଗତ ୧୭ ତାରିଖରେ ଖୋର୍ଦ୍ଧା ବରୁଣେଇ ପୀଠରେ ହୋଇଥିଲା ବିରାଟ ପାଇକ ସମାବେଶ । ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ଆସି ମେଳିରେ ସାମିଲ ହୋଇଥିଲେ ହଜାର ହଜାର ପାଇକ ପୁଅ । ପାରମ୍ପରିକ ଅସ୍ତଶସ୍ତ୍ର ସହ ନାଚଗୀତରେ ବରୁଣେଇଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ହୋଇଥିଲା ଶୋଭାଯାତ୍ରା ।