ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଗାଁ ପାଇଁ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ବାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ର ସବୁ ସୁବିଧା ପାଇପାରିବେ । ୨୦୨୪ ମାର୍ଚ୍ଚ ସୁଦ୍ଧା ସମସ୍ତ ପଞ୍ଚାୟତକୁ ଖୁବ୍ ଶୀଘ୍ର ବ୍ୟାଙ୍କ ସୁବିଧା ପହଞ୍ଚିବ । କାଲି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହୋଇଗଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୦ଟି ସ୍ଥାନରେ ୪ ଲକ୍ଷ ଲୋକ ସିଧାପ୍ରସାରଣ ଜରିଆରେ ଲାଇଭ ଦେଖିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ। ଏହି ବ୍ୟାଙ୍କିଙ୍ଗ ମଡେଲ ସାରା ଦେଶ ପାଇଁ ଏକ ରୋଲ ମଡେଲ ହେବ ବୋଲି କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି। ଏମାନେ ହେଲେ – State Bank of India, Punjab National Bank, Union Bank of India, UCO Bank, Bank of India ଓ Bank of Baroda. ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ ।
ସୂଚନାଯୋଗ୍ୟ ଯେ ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ବା ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ । ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ Customer Service Point Plus ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ । ଏଥିପାଇଁ ରାଜ୍ୟ ସରକାର ଏହିସବୁ ପଞ୍ଚାୟତରେ ବ୍ୟାଙ୍କ ମାନଙ୍କୁ ଆସନ୍ତା ୫ ବର୍ଷ ପାଇଁ ଘର (Banking space), ବିଦ୍ୟୁତ ବ୍ୟବସ୍ଥା, ଇଣ୍ଟରନେଟ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆନୁସଂଗିକ ସୁବିଧା ଯୋଗାଇ ଦେବେ ।