ହସଖୁସିରେ ଚାଲିଥିଲା ଛୋଟିଆ ସଂସାର । ହେଲେ ଦଇବ ସାଜିଲା ବୈରୀ । ହଟାତ ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା ମା । ବାପା ମାଙ୍କୁ ହରାଇ ଛୋଟ ଛୋଟ ଦୁଇ ପୁଅ ଝିଅ ଏବେ ଅନାଥ। ଝିଅ ଖୁସି ସପ୍ତମରେ ପଢ଼ୁଥିବା ବେଳେ ପୁଅ ରିଷି ତୃତୀୟ ଶ୍ରେଣୀରେ ପଢୁଛି । ଏଭଳି ଦୁଖଦ ପରିସ୍ଥିତିରେ ପିଇସୀ, ପିଇସାଙ୍କ ନିକଟରେ ଆଶ୍ରୟ ନେଇଛନ୍ତି ଖୁସି ଏବଂ ରିଷି । ହେଲେ ପିଇସାଙ୍କ ଅବସ୍ଥା ମଧ୍ୟ ବହୁତ ଶୋଚନୀୟ । ପିଇସା ଦୀର୍ଘଦିନ ହେବ ଶଯ୍ୟାସାୟୀ ଥିବା ବେଳେ ତାଙ୍କର ନିଜର ଘରଦ୍ୱାର ନଥିବାରୁ ବଡ଼ ଭାଇଙ୍କ ଏକ ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । କିନ୍ତୁ ଘର ଛାଡିବାକୁ ଏବେ ତାଙ୍କ ବଡ ଭାଇ ତାଗିଦ କରୁଥିବା ଜଣାଯାଇଛି । ସେ ନିଜେ ଶଯ୍ୟସାୟୀ ହୋଇଥିବାବେଳେ ଘର ଛାଡିଲେ କୁନି କୁନି 2 ପିଲାଙ୍କୁ ନେଇକି କୋଉଠିକି ଯିବେ ବୋଲି ଭାବି ଏବେ ଚିନ୍ତାରେ ପଡିଛନ୍ତି ।ଦୁଇପିଲାଙ୍କ ପାଠପଢିବା ପାଇଁ ଆଗ୍ରହ ଥିଲେ ମଧ୍ୟ ବାଧକ ସାଜିଛି ଅର୍ଥ , ସହାୟତା କରିବାକୁ କେହି ନାହାନ୍ତି । ଓଳିଏ ଖାଇଲେ ଓଳିଏ ନାହିଁ, ଭଗବାନଙ୍କୁ ଆଶ୍ରା କରି ପଡି ରହିଛନ୍ତି ଦୁଇ ଭାଇଭଉଣୀ । ଏହିଭଳି ଦାରିଦ୍ର୍ୟର କରୁଣ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ନିକଟସ୍ଥ କୁଳ ସାହି ଗ୍ରାମରେ । ଜଗତସିଂହପୁର ଜ଼ିଲ୍ଲା ପିତେଇପୁର ପଞ୍ଚାୟତର ମଲପୁର ଗ୍ରାମର ସରୋଜ କୁମାର ମହାନ୍ତି ଓ ସ୍ୱପ୍ନା ମହାନ୍ତି ରହୁଥିଲେ କଟକ ଝାଞ୍ଜିର ମଙ୍ଗଳାରେ । ସରୋଜ ମେଡ଼ିସିନ କମ୍ପାନୀରେ କାମ କରୁଥିଲେ । ଝିଅ, ପୁଅ ଓ ପତ୍ନୀ ସ୍ୱପ୍ନାଙ୍କୁ ନେଇ ବେଶ ହସଖୁସିରେ ଚାଲିଥିଲା ସରୋଜଙ୍କ ସଂସାର । ଗତ ଏପ୍ରିଲ ମାସରେ ସରୋଜଙ୍କ ପତ୍ନୀ ସ୍ୱପ୍ନାଙ୍କର କୌଣସି ରୋଗ କାରଣରୁ ମୃତ୍ୟୁ ହୋଇଥିଲା । ପରେ ଗତ ଜୁନ ମାସରେ ସରୋଜଙ୍କ ସାନଭାଇର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଗତ ନଭେମ୍ବର ମାସରେ ସରୋଜଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବାପାମା ଚାଲିଯିବା ପରେ ଝିଅ ସ୍ଵଂଗସିଂଧI ମହାନ୍ତି (ଖୁସି ) ଓ ପୁଅ ଅଂଶୁମାନ ମହାନ୍ତି(ରିଷି) ଦୁହେଁ ଅନାଥ ହୋଇଯାଇଥିଲେ । ଝିଅ ଖୁସି ସପ୍ତମରେ ପଢ଼ୁଥିବା ବେଳେ ପୁଅ ରିଷି ତୃତୀୟରେ ପଢୁଛି କଟକ ଝାଞ୍ଜିରମଙ୍ଗଳା ଶିଶୁବିଦ୍ୟାମନ୍ଦିରରେ । ଏବେ ସ୍କୁଲ ବନ୍ଦ ଥିବାରୁ ଦୁହେଁ ପିଇସାଙ୍କ ଘରେ ଆଶ୍ରୟ ନେଇଛନ୍ତି । ପିଇସା ସୁଶାନ୍ତ କୁମାର ମହାନ୍ତି ଅଳସୁଧା ପଂଚାୟତର କୂଳସାହି ଗ୍ରାମରେ ରହୁଛନ୍ତି । ହେଲେ ତାଙ୍କର ନିଜଘର ବାତ୍ୟାରେ ଭାଂଗି ଯାଇଥିବାରୁ ଭାଇଙ୍କ ଭଙ୍ଗା ଘରେ ଆଶ୍ରୟ ନେଉଥିବା ବେଳେ ନିଜେ ଅସୁସ୍ଥ ଥାଇ ମଧ୍ୟ ବାପାମା ଛେଉଣ୍ଡ ଦୁଇ ପୁଅ ଓ ଝିଅଙ୍କୁ ଆପଣେଇ ନେଇଛନ୍ତି । କିନ୍ତୁ ତାଙ୍କ ପକ୍ଷେ ପରିବାର ବୋଝ ଉଠାଇବା ସମ୍ଭବପର ହୋଇପାରୁନାହିଁ । ପାଞ୍ଚଶହ ଟଙ୍କା ଭତ୍ତାରେ ପରିବାର ଚଳୁଛି । ସରକାରଙ୍କୁ ସାହାଯ୍ୟ ପାଇଁ କରିଛନ୍ତି ସେ ଅନୁରୋଧ କରିଛନ୍ତି । କେହି ବଦାନ୍ୟ ବ୍ୟକ୍ତି କିମ୍ବା ସଂସ୍ଥା ଯଦି ସହାୟତା କରିବେ ତେବେ ସେମାନେ ଟିକେ ବଂଚି ଯିବେ ବୋଲି ସେ ଦୁଃଖଭରା କଣ୍ଠରେ କହିଛନ୍ତି |