ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ସରକାରୀ ବାବୁଙ୍କ ଘରେ ଆଜି ଭିଜିଲାନ୍ସର ଚଢାଉ ହୋଇଛି । ଏହି ସରକାରୀ ବାବୁ ଜଣକ ହେଲେ ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ଼୍ ଜାରି ରହିଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଏହି ରେଡ଼୍ କରୁଛନ୍ତି । ଚଢ଼ାଉ ବେଳେ ୪କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ତେବେ ତାଙ୍କ ଘରୁ ନଗଦ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି ୫ମହଲା କୋଠା । ଏହି କୋଠାର ମୂଲ୍ୟ ୩କୋଟି ୨୫ଲକ୍ଷ ୬୦ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବିଲ୍ଡିଂ ନିର୍ମାଣ ହୋଇଥିବା ଜାଗାର ମୂଲ୍ୟ ଖାଲି ୩କୋଟି ୮୯ଲକ୍ଷ ୬୦ ହଜାର ଟଙ୍କା । ସେହିଭଳି ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ୩ ମହଲା କୋଠା, ଜୟଦେବ ବିହାରରେ ଥିବା ୬ ମହଲା କୋଠା, ଖଣ୍ଡଗିରିରେ ଥିବା ଘରେ ଚଢ଼ାଉ କରାଯାଇଛି । ଏହି ଚଢାଉରେ ଜଣେ ଅତିରିକ୍ତ ଏସ୍ପି, ୫ଜଣ ଡିଏସ୍ପି ଏବଂ ୭ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ବିସ୍ତୃତ ତଥ୍ୟ ମିଳିନାହିଁ ।