ଗତ କିଛି ଦିନ ହେଲା ଏକ ଜଙ୍ଗଲୀ ହାତୀ କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାରେ ଆତଙ୍କରାଜ ଚଲାଇଥିଲା । ହାତୀକୁ ଧରିବା ପାଇଁ ବନବିଭାଗ ନୟାନ୍ତ ହେବାପରେ ଶେଷରେ ଆଜି ମିଳିଛି ସଫଳତା । ଜଙ୍ଗଲ ପାହାଡ ଅଞ୍ଚଳରୁ ଖସି ଆସିଥିବା ଜଙ୍ଗଲୀ ହାତୀଟି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗଡରୋମିତ ପାଟରେ ବୁଲୁଥିଵା ବେଳେ ହାତୀକୁ ଟ୍ରାଙ୍କୁଲାଇଜର ଦେଇ କାବୁ କରିଛି ବନ ବିଭାଗ । ପ୍ରାୟ ସପ୍ତାହ ବ୍ୟାପୀ ଚାଲିଥିବା ରେସ୍କୁ ଅପରେସନ ଶେଷ ହୋଇଛି । ଡିଏଫଓଙ୍କ ସହିତ ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାର ବନ ବିଭାଗର ଅଧିକାରୀଙ୍କ ସହିତ ଚନ୍ଦକା ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଏବଂ ଟ୍ରାଙ୍କୁଲାଇଜର ଟିମର ସଦସ୍ୟଙ୍କ ସହିତ କର୍ମଚାରୀମାନଙ୍କ ଉଦ୍ୟମରେ ହାତୀ ରେସ୍କୁ ଅପରେସନ ଶେଷ ହୋଇଛି । ଏହି ହାତୀକୁ ଟ୍ରାଙ୍କୁଲାଇଜର ଦିଆଯିବା ପରେ କ୍ରେନ୍ ସାହାଯ୍ୟରେ ଉଠାଇ ଟ୍ରକ ଯୋଗେ ବନ ବିଭାଗ ନେଇଥିଲା । ଉପକୂଳ କେନ୍ଦ୍ରାପଡା ଜିଲ୍ଲାରେ ଜଙ୍ଗଲି ହାତୀ ପ୍ରଥମ କରି ପଶି ଆସିଥିବାରୁ ରେସ୍କୁ ଅପରେସନ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ ଜମାଇଥିଲେ ।