ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଓଡିଶାର ସବୁ ଜିଲ୍ଲାରେ ଗୋଟିଏ ଦେଶ, ଗୋଟିଏ ରେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ତାଙ୍କ ପସନ୍ଦର ଦୋକାନରୁ ରାସନ ପାଇପାରିବେ। ରାଜ୍ୟର ୧୦,୫୭୮ ସୁଲଭ ମୂଲ୍ୟ ଦୋକାନରେ ହିତାଧିକାରୀମାନେ ଏହି ସୁବିଧା ପାଇବେ। ଏହାସହିତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପାଇଲଟ୍ ପ୍ରକଳ୍ପ ଭାବରେ ମାଲକାନଗିରି ଜିଲ୍ଲାରେ ଭିଟାମିନଯୁକ୍ତ ଚାଉଳ ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଗଲା । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ସ୍ବାଭିମାନର ସହ ବଞ୍ଚିବା ସମସ୍ତଙ୍କର ଅଧିକାର ଓ ଗରିବ ଲୋକଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଆମର ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଅଧିକାରକୁ ଆମେ ସବୁବେଳେ ସମ୍ମାନ ଜଣାଇଆସିଛୁ । ଗରିବ ଲୋକଙ୍କ କଲ୍ୟାଣ ପାଇଁ ଆମର ଉଦ୍ୟମ ଜାରି ରହିବ ।’ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କ ସବୁଠାରୁ ବଡ କଲ୍ୟାଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ୯୩ ଲକ୍ଷ ପରିବାର ଓ ସାଢେ ୩ କୋଟି ଲୋକ ଉପକାର ପାଉଛନ୍ତି। । ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ତାଙ୍କର ଗୁରୁତ୍ବ ଉପରେ ଆଲୋକପାତ କରି ସେ କହିଲେ, ‘ମୁଁ ସବୁବେଳେ କହିଆସିଛି ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଏ, ତାହା ଆମର ଲକ୍ଷ୍ୟ ।’ ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେଜି ୧ ଟଙ୍କାରେ ଚାଉଳ ମିଳିବ ଦ୍ବାରା ଗରିବ ଲୋକଙ୍କର ଖାଦ୍ୟ ନିରାପତ୍ତା ମଜବୁତ ହୋଇଛି । ରାଜ୍ୟର ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଖାଦ୍ୟ ନିରାପତ୍ତା ସହିତ ରାଜ୍ୟ ସରକାର ମାଗଣାରେ ପିଲାମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କରିଛନ୍ତି। ଜୋତା ଠାରୁ ଆରମ୍ଭ କରି ପୋଷାକ, ବହି, ସାଇକେଲ – ସବୁ ସରକାର ଯୋଗାଇ ଦେଉଛନ୍ତି। ସ୍ବାସ୍ଥ୍ୟ ସୁବିଧା ପାଇଁ ସବୁ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତା ସହିତ ଗରିବ ଲୋକଙ୍କ ପାଇଁ ବିଭିନ୍ନ ରୋଜଗାର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ମଧ୍ୟ ଗରିବ ପରିବାରର ମା ମାନଙ୍କୁ ରୋଜଗାର ଦେଇଛି । ଚାଷଙ୍କ ପାଇଁ କାଳିଆ ଯୋଜନା ସାରା ଦେଶରେ ଆଦର ଲାଭ କରିଛି ବୋଲି ସେ କହିଥିଲେ। କୋଭିଡ ମହାମାରୀ ସମୟରେ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସେ ଗୁରୁତ୍ବ ଦେଇ ସେ କହିଲେ ଯେ କୋଭିଡ ମହାମାରୀ, ବହୁ ଲୋକ ବିଶେଷକରି, ଗରିବ ଲୋକଙ୍କର ରୋଜଗାର ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ରୋଜଗାର ପାଇଁ – ଚାଷୀ, ମହିଳା, ଶ୍ରମିକ ମାନଙ୍କ ପାଇଁ – ରାଜ୍ୟ ସରକାର ୨୦୦୦ କୋଟି ଟଙ୍କାର ସହାୟତା ଦେଇଛନ୍ତି। ଆମର ଏହିସବୁ କାର୍ଯ୍ୟକ୍ରମ ଗରିବ ଲୋକର ସାମାଜିକ ସ୍ଥିତିରେ ଉନ୍ନତି ଆଣିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍. କେ. ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।#cmo #OneNationOneRation #NNSODIA