ଓମିକ୍ରନ ସଂକ୍ରମିତ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ କରୋନା ପଜିଟିଭ୍ : ଜିନମ ସିକୁଏନସିଂ ପାଇଁ ପଠାଗଲା ନମୁନା । ବେଙ୍ଗାଳୁରୁରେ ଓମିକ୍ରନ୍ ଚିହ୍ନଟ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କରୋନା ପଜିଟିଭ୍ ହୋଇଛନ୍ତି । ଦୁଇ ଜଣ ପରିବାର ସଦସ୍ୟ ଓ ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ୍ ହୋଇଛନ୍ତି । ଡାକ୍ତରଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର । ସେ ଓ ତାଙ୍କ ୧୩ ବର୍ଷର ଝିଅ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ବର୍ଷର ପୁଅର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ଡାକ୍ତରଙ୍କ ସହଯୋଗୀ, ତାଙ୍କ ପତ୍ନୀ ଓ ଶ୍ୱଶୂର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣଙ୍କ ନିକଟରୁ ୫ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଓମିକ୍ରନ୍ ସଂକ୍ରମିତ ଡାକ୍ତର ଜଣଙ୍କ ବନେରଘାଟ ରୋଡ୍ରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି ।
ଥଣ୍ଡା ଓ ଶରୀରପୀଡା ହେବାରୁ ନଭେମ୍ବର ୨୨ ତାରିଖରେ ସେ କରୋନା ଟେଷ୍ଟ କରିଥିଲେ । ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ପିଟାଲ ତରଫରୁ ତାଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ତାଙ୍କର ସିଟି ଭ୍ୟାଲୁ ୨୫ ତଳେ ରହିଥିଲା । ଗୁରୁବାର ଦିନ ସେ ଓମିକ୍ରନ୍ ସଂକ୍ରମିତ ଥିବା ଜଣାପଡ଼ିଥିଲା । ହୋମ୍ ଆଇସୋଲେସନରେ ଥିବା ଡାକ୍ତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଡାକ୍ତର ଜଣଙ୍କ କରୋନାର ଦୁଇଟି ଡୋଜ୍ ନେଇ ସାରିଛନ୍ତି । ତାଙ୍କ ପ୍ରାଇମେରୀ କଂଟାକ୍ଟରେ ୧୩ ଜଣ ଆସିଥିବା ବେଳେ ସେକେଣ୍ଡାରୀ କଂଟାକ୍ଟରେ ଆସିଛନ୍ତି ୨୦୫ ଜଣ । ଏମାନଙ୍କ ମଧ୍ୟରୁ ପ୍ରାଇମେରୀ କଂଟାକ୍ଟରୁ ୨ ଜଣ ଓ ସେକେଣ୍ଡାରୀ କଂଟାକ୍ଟରୁ ଜଣେ ପଜିଟିଭ୍ ହୋଇଛନ୍ତି ।