ଭାରତରେ ଓମିକ୍ରନ୍ ଆଣିପାରେ ତୃତୀୟ ଲହର | ଯଦି ଦେଶରେ ତୃତୀୟ ଲହର ଆସେ ଦିନକୁ 1.8 ଲକ୍ଷ ପର୍ଯ୍ୟନ୍ତ କରୋନା ମାମଲା ଆସିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ଫେବୃଆରୀରେ ଏହା ଶିଖର ଛୁଇଁପାରେ ବୋଲି ଅନୁମାନ କରାଯାଉଛି | ଭାରତରେ ଦିନକୁ ଦିନ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ଦେଶରେ କରୋନାର ତୃତୀୟ ଲହର ଆସିବା ନେଇ ଅନୁମାନ କରାଯାଉଛି । ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟିର ସଦସ୍ୟ ବିଦ୍ୟାସାଗର କହିଛନ୍ତି ଯେ, ଭାରତରେ ଜାନୁଆରୀରେ କରୋନାର ତୃତୀୟ ଲହର ଆସିପାରେ । ତେବେ ଲୋକଙ୍କ ମଧ୍ୟରେ ଆଗ ଅପେକ୍ଷା ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ହେତୁ ଏହା ଦ୍ୱିତୀୟ ଲହର ତୁଳନାରେ କମ୍ ହେବ । କିନ୍ତୁ ତୃତୀୟ ଲହର ନିଶ୍ଚିତ ଭାବେ ଆସିବ । ଏପ୍ରିଲ-ମେରେ ଆସିଥିବା ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିବ । କରୋନା ଟିକା ନେଇନଥିବାରୁ ଅଧିକରୁ ଅଧିକ ବ୍ୟକ୍ତି ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । କିନ୍ତୁ ଏବେ ସ୍ଥିତି ବଦଳିଛି ।
ହାଇଦ୍ରାବାଦ ଆଇଆଇଟିର ପ୍ରଫେସର ବିଦ୍ୟାସାଗର କହିଛନ୍ତି ଯେ, ଏବେ ଦେଶରେ ୭୫ରୁ ୮୦ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ରହିଛି । ୮୫ ପ୍ରତିଶତ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି । ୫୫ ପ୍ରତିଶଥ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ଦ୍ୱିତୀୟ ଡୋଜ୍ ଲୋକଙ୍କୁ ୯୫ ପ୍ରତିଶତ ସୁରକ୍ଷା ଦେଇପାରିବ । ଫଳରେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଦେଶବାସୀ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାପରେ ଏହି ଭାରିଆଣ୍ଟ ପ୍ରାୟ ୧୦୦ରୁ ଅଧିକ ଦେଶରେ ମାଡି ସାରିଛି । ୟୁରୋପୀୟ ଦେଶରେ ଏହି ଭାରିଆଣ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭାରତର କିଛି ରାଜ୍ୟରେ ନୂଆ ଭାରିଆଣ୍ଟ କବଳରେ ଅଧିକ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ 236 ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି । ଡେଲଟା ତୁଳନାରେ ଓମିକ୍ରନ୍ ତିନିଗୁଣ ଅଧିକ ବେଗରେ ମାଡି ଚାଲିଥିବାରୁ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ରାଜ୍ୟଗୁଡିକ ଚେତାବନୀ ଦିଆଯାଇଛି । କେତେକ ରାଜ୍ୟରେ ନୂତନ ବର୍ଷ ପାଳନ ପୂର୍ବରୁ କଟକଣା ଲଗାଇବା ଆରମ୍ଭ କରିଦେଲେଣି ।