ଭାରତରେ କାୟା ମେଲାଉଛି ଓମିକ୍ରନ । ଦେଶରେ ଏ ପର୍ଯ୍ୟନ୍ତ 61ଟି ଓମିକ୍ରନ୍ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ମଙ୍ଗଳବାର ଗୋଟିଏ ଦିନରେ ରାଜ୍ୟରୁ ୮ଟି ନୂଆ ମାମଲା ଚିହ୍ନଟ ହୋଇଛି । ଚିନ୍ତାର ବିଷୟ ହେଉଛି କି, ଅଧିକାଂଶ ଓମିକ୍ରନ ସଂକ୍ରମିତ ମୁମ୍ବାଇରୁ ଠାବ ହୋଇଛନ୍ତି । ୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ମାୟାନଗରୀର ଅଟନ୍ତି । ପୁଣି ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ରାଜସ୍ଥାନରେ 17, କର୍ଣ୍ଣାଟକରେ 3, ଗୁଜୁରାଟରେ 4, କେରଳରେ 1 ଏବଂ ଆନ୍ଧ୍ରପ୍ରଦେଶରେ 1, ଦିଲ୍ଲୀରେ 6 ଏବଂ ଚଣ୍ଡିଗଡ଼ରେ 1 ଟି ମାମଲା ଚିହ୍ନଟ ହୋଇଛି। କରୋନାର ଏହି ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ବିମାନବନ୍ଦରରେ ନିୟମକୁ କଡାକଡି କରିଛନ୍ତି । ଅଧିକ ଆଶଙ୍କା ସମ୍ପନ୍ନ ରାଷ୍ଟ୍ରରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟାଇନ ରହିବା ଲାଗି ପରାମର୍ଶ ଦିଆଯାଇଛି । ସେପଟେ ଦିନକୁ ଦିନ ମହାରାଷ୍ଟ୍ରର ସ୍ଥିତି ବିଗୁଡୁଥିବାର ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁମ୍ବାଇରେ କରିବାକୁ ଥିବା କଂଗ୍ରେସ ରାଲି ରଦ୍ଦ କରିଛନ୍ତି। ପ୍ରଥମେ କର୍ଣ୍ଣାଟକରେ ହିଁ ଦେଶର ପ୍ରଥମ ଓମିକ୍ରନ ମାମଲା ଠାବ ହୋଇଥିଲା । ଅନ୍ୟପକ୍ଷରେ ବ୍ରିଟେନରେ ବହୁ ଜୋରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଡାକ୍ତରଖାନାରରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ରିଟେନରେ ଗତ 24 ଘଣ୍ଟା ମଧ୍ୟରେ 59610 ଟି କରୋନା ମାମଲା ରିପୋର୍ଟ ହୋଇଛି । 9 ଜାନୁଆରୀ ପରଠାରୁ ଏହା ସର୍ବାଧିକ | ଏଥିସହିତ, ବ୍ରିଟେନରେ ଗତ 24 ଘଣ୍ଟା ମଧ୍ୟରେ 150 ରୁ ଅଧିକ ଲୋକଙ୍କ କରୋନାରେ ମୃତ୍ୟୁ ଘଟିଛି । ପ୍ରତିଦିନ କରୋନାରେ ସଂକ୍ରମିତ ପ୍ରାୟ 811 ଜଣଙ୍କୁ ଏଠାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ବ୍ରିଟେନର ଡାକ୍ତରଖାନାରେ ବର୍ତ୍ତମାନ 7,400 ରୋଗୀ ଭର୍ତ୍ତି ହୋଇଛନ୍ତି।