ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ | ଏହା ସହିତ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି | ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ଶୀର୍ଷ ଛୁଇଁବ ସଙ୍କ୍ରମଣ । ଡେଲଟା ଭାରିଆଣ୍ଟଠାରୁ ୪ ଗୁଣା ଅଧିକ ସଂକ୍ରମିତ କରୁଛି ଓମିକ୍ରନ । ରାଜ୍ୟରେ ପିକ୍ ସମୟରେ ଦୈନିକ ୩୦ ହଜାରରୁ ଅଧିକ ସଂକ୍ରମଣ ହୋଇପାରେ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଶୋକ ମହାପାତ୍ର । ସେ କହିଛନ୍ତି ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । କରୋନା ସଂକ୍ରମଣର ପିକ୍ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି | କିନ୍ତୁ ଖୁବଶୀଘ୍ର ସୁସ୍ଥତା ଫେରିବ ବୋଲି କହିଛନ୍ତି ।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ଟ୍ରେଣ୍ଡରେ ରହିଛି। ଅଳ୍ପ ଦିନ ଭିତରେ ଆମେ ପିକ୍କୁ ଅତିକ୍ରମ କରି ଯାଇପାରୁ। ଗୋଟିଏ ମହାମାରୀରେ ପ୍ରଥମେ ସଂକ୍ରମଣ ବଢ଼ିବ, ତା’ପରେ କିଛି ଦିନ ସମାନ୍ତରାଳରେ ରହିବ ଓ ଏହାପରେ କମିବ। ବର୍ତ୍ତମାନ ଦେଶରେ ସଂକ୍ରମଣ ବଢୁଛି, ସେହି ହିସାବରେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି।