ଚଳନ୍ତା ପେଟ୍ରୋଲ ଟ୍ୟାଙ୍କରରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଲା ପେଟ୍ରୋଲ ବୋଝେଇ ଟ୍ୟାଙ୍କର | ନିଆଁକୁ ଦେଖି ଡ୍ରାଇଭର ଜଣକ ଗାଡିରୁ ଡେଇଁ ପଡିଥିଲେ | ଫଳରେ ଅଳ୍ପକେ ରକ୍ଷା ପାଇଯାଇଥିଲା ଜୀବନ | ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନିଆଁ ଆୟତ୍ତ କରିଥିଲେ | ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ସୁଦପଡା କଲ୍ୟାଣ ମଣ୍ଡପ ନିକଟରେ ।
ଭାରତ ପେଟ୍ରୋଲିୟମର ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ପାରାଦୀପରୁ କେସିଙ୍ଗା ଯାଉଥିଲା। ହଠାତ ଏନ.ଏଚ ୫୭ ସୁଦପଡା କଲ୍ୟାଣ ମଣ୍ଡପ ଠାରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ଫଳରେ ଡ୍ରାଇଭର ଜଣକ ଭୟଭୀତ ହୋଇ ଗାଡିରୁ ଡେଇଁପଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପେଟ୍ରୋଲ ଭର୍ତ୍ତି ଗାଡି ହୋଇଥିବାରୁ ବିସ୍ପୋରଣର ଭୟ ଥିଲା । ତେଣୁ ଉଭୟ ପଟରେ ଗାଡି ମୋଟର ଚଳଚଳକୁ ବନ୍ଦ କରି ଦିଆଯାଇଥିଲା । ତାପରେ ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ। ଭୋର ୪ ଟା ୪୦ ରେ ଏହି ଘଟଣା ଘଟିଥିବା ଜଣାପଡିଛି। ଟ୍ୟାଙ୍କରରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।