ଲୋକାର୍ପିତ ହେଲା ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । । ୧୧୧ କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି । ଏହି ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ବ୍ରହ୍ମପୁର, ଢେଙ୍କାନାଳ ମଧ୍ୟରେ ଦୂରତା କମିବ । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର । ସେତୁର ଆକାର ଇଂରାଜୀ ଅକ୍ଷର ‘ T ’ ଭଳି ହୋଇଥିବାରୁ ଏହାକୁ ଟି-ସେତୁ କୁହାଯାଉଛି । କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ନୂଆ ସେତୁକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ବହୁ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିଥିଲେ । ସେତୁରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀ ସେତୁ ଲୋକାର୍ପଣ ପାଇଁ ପହଞ୍ଚିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ । ହାତ ହଲାଇ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ । ୨୦୧୪ ଫେବ୍ରୁଆରୀ ୨୮ରେ ଏହି ସେତୁର ଭିତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।