ଆଜିଠାରୁ ଆରମ୍ଭ ହୋଇଛି ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା। ଦୀର୍ଘ ୧୯ ମାସ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଶ୍ରେଣୀ ଗୃହରେ ବସି ପାଠ ପଢ଼ିଛନ୍ତି । ଏତେ ଦିନ ପରେ ପିଲାମାନେ ସ୍କୁଲ ଆସି ସାଙ୍ଗମାନଙ୍କ ସହ ମିଶିଥିବାରୁ ବହୁତ ଖୁସି ଥିବା ଜଣାପଡୁଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି। ସମ୍ପୁର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଥର୍ମାଲ ସ୍କାନିଙ୍ଗ୍, ହାତ ସାନିଟାଇଜ କରିବା ସହିତ ଶ୍ରେଣୀ ଗୃହରେ ସମାଜିକ ଦୂରତାରେ ବସିବା ପାଇଁ ସମସ୍ତ ସ୍କୁଲ ରେ ବ୍ୟବସ୍ଥା କରାଯାଇଛି। ସକାଳ ୯ ଟା ୩୦ରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ କ୍ଲାସ ହେବା ନେଇ ରାଜ୍ୟ ସରକାରଙ୍କ ତରଫରୁ ଏସଓପି ଜାରି କରାଯାଇଥିବାବେଳେ ପ୍ରତି କ୍ଲାସ ପାଇଁ ୩ ଟି ପିରିୟଡ଼ ରଖାଯାଇଛି। ଯେଉଁଥିରେ ମୁଖ୍ୟତଃ ଇଂରାଜୀ,ଗଣିତ ବିଷୟକୁ ବେଶି ଗୁରୁତ୍ୱ ଦେବାପାଇଁ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏତେ ଦିନ ପରେ ବିଦ୍ୟାଳୟ ଖୋଲୁଥିବାରୁ ପିଲାମାନଙ୍କର ଆବେଗିକ ଓ ମାନସିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେବେ ଓ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଇବେ। ଏଥିପାଇଁ ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନ ପିଲାଙ୍କ ମଧ୍ୟରେ ଆଲୋଚନା,ତର୍କ ପ୍ରତିଯୋଗିତା, ସଂଗୀତ ଗାନ, ଚିତ୍ରାଙ୍କନ,ମାଟି କାମ, ସହିତ କୋଭିଡ ସମୟ କିଭଳି ବିତାଇଲେ ତା ଉପରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନା କରିବେ। ଏହି ଦୁଇ ଦିନ କୈାଣସି ପାଠ ପଢା ହେବ ନାହିଁ। ପିଲାମାନେ ମୁକ୍ତ ଭାବରେ ବିଦ୍ୟାଳୟ ଭିତରେ ବୁଲିବା, ବିଭିନ୍ନ ପ୍ରଦର୍ଶନୀର ଆୟୋଜନ କରିବା ସହିତ ବିଭିନ୍ନ ବସ୍ତୁ ସଂଗ୍ରହ କରି ଏହା ଉପରେ ଆଲୋଚନା କରିବା ଇତ୍ୟାଦି କାର୍ଯ୍ୟକ୍ରମ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।ଗତ ୧୯ ମାସ ଧରି ଛାତ୍ର ଛାତ୍ରୀ ମାନେ ପାଠ ପଢା ଠାରୁ ଦୂରେଇ ରହୁଥିବା ରୁ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷଣସ୍ତର ବହୁତ କମିଯାଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।