ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି ଓ ବ୍ୟାପକ ହିଂସାକାଣ୍ଡ ଘଟାଇଛି । ଆଜିର ଘଟଣାରେ ଓଡିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୋଲିସ ଆହତ ହୋଇଥିବାବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି । କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ହାତ ଭାଙ୍ଗିଛି । ରକ୍ତମୁଖା ହୋଇ ସେମାନେ ପୋଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡିଯାଇଛି । କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି ।
କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଆଜି ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ । ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ । ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଫଟୋକୁ ଯେଭଳି ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି ।
ବିକ୍ଷୋଭର ନେତୃତ୍ୱ ନେଉଥିବା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧ ପ୍ରବଣ ବ୍ୟକ୍ତି । ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି । ପୂର୍ବରୁ ବରଗଡ଼ବାସୀ ତାଙ୍କର ହିଂସାତ୍ମକ ଆଚରଣର ଝଲକ ଦେଖିଥିଲେ । ପୁରୀରେ ମଧ୍ୟ ଅନେକ ବାର ଗୁଣ୍ଡା ଗର୍ଦ୍ଦି କରିଥିବାରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆଜି ରାଜଧାନୀର ରାଜରାସ୍ତାରେ ପୂରା ଓଡ଼ିଶା ତାଙ୍କ ହିଂସାର ତାଣ୍ଡବ ଦେଖିଲା । ଶାନ୍ତିପ୍ରିୟ ଓଡ଼ିଶାବାସୀ କେବେ ବି ଏଭଳି ହିଂସାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ ଦେବେ । ବିଜେପି ଶୀର୍ଷ ନେତାମାନେ ମଧ୍ୟ ଏଭଳି ଚରିତ୍ରର ବ୍ୟକ୍ତିକୁ ଦଳରେ ପ୍ରଶ୍ରୟ ଦିଅନ୍ତୁ ନାହିଁ । ନ ହେଲେ ଓଡ଼ିଶାବାସୀ ସେମାନଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ବିଜେଡି ବିଧାୟକ ଦେବ କହିଛନ୍ତି ।