ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲ ୨୦୨୧ର ବ୍ରାଣ୍ଡ ଆମ୍ବାସଡର ହେଲେ ସୁଗାୟିକା ସୁସ୍ମିତା ଦାସ ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ‘ଅବିକା’ ଦ୍ୱାରା ଆୟୋଜିତ ହୋଇଆସୁଥିବା ‘ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିିର୍ଭାଲ୍’ର ଦ୍ୱିତୀୟ ସଂସ୍କରଣ ଆଗାମୀ ଡିସେମ୍ବର ମାସରେ ହେବାକୁ ସ୍ଥିର ହୋଇଛି । ଏହି କ୍ରମରେ ସ୍ଥାନୀୟ ଡେନିମ୍ ଆଣ୍ଡ୍ ବ୍ଲୁଜ୍ ଡ୍ୟାନ୍ସ ଷ୍ଟୁଡିଓରେ ଆୟୋଜିତ ଏକ ପ୍ରେସମିଟ୍ରେ ଚଳିତ ବର୍ଷ ପାଇଁ କାର୍ଣ୍ଣିଭାଲ ବ୍ରାଣ୍ଡ୍ ଆମ୍ବାସଡର ଘୋଷିତ ହୋଇଛି । ସୁଖ୍ୟାତ ଗାୟିକା ସୁସ୍ମିତା ଦାସଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ଘୋଷଣା କରିବା ସହ ତାଙ୍କୁ ଖଣ୍ଡୁଆପାଟ ଶାଢ଼ି ଉପହାର ରୂପେ ପ୍ରଦାନ କରାଯାଇଥିଲା । ନିର୍ଦ୍ଦେଶକ ଅବିନାଶ ସାହୁ ପ୍ରେସବିବୃତ୍ତିରେ ଆଗାମୀ କାର୍ଣ୍ଣିଭାଲ୍ର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ପ୍ରକାଶ ଥାଉ କି ହସ୍ତତନ୍ତକୁ ସାହିତ୍ୟ, ଚିତ୍ରକଳା, ସଙ୍ଗୀତ, ନୃତ୍ୟ, ଅଭିନୟ ଓ ପ୍ରଦର୍ଶନୀ ମାଧ୍ୟମରେ ଲୋକାଭିମୁଖୀ କରିବାରେ ଏହି ଏକଦିବସୀୟ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶାରେ ପ୍ରଥମ । ଅବିକା ତରଫରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ କ୍ୟାଲେଣ୍ଡର-ମଡେଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଯାହାର ଫଳାଫଳ ଉକ୍ତ କାର୍ଣ୍ଣିଭାଲରେ ଘୋଷିତ ହେବ ଏବଂ କ୍ୟାଲେଣ୍ଡର-୨୦୨୨ ଲୋକାର୍ପିତ ହେବ । ପ୍ରେସମିଟକୁ ଯୁବଲେଖିକା ପ୍ରଜ୍ଞା ପାରମିତା ରଥ ସଂଚାଳନ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ନୃତ୍ୟନିର୍ଦ୍ଦେଶକ ପ୍ରିୟାଂଶୁ ପ୍ରିୟଦେବ । ସଭା ଶେଷରେ ଉପସ୍ଥିତ ଗଣମାଧ୍ୟମ ଭାଇଭଉଣୀମାନଙ୍କୁ ଅବିକା ତରଫରୁ ହସ୍ତତନ୍ତ ନିର୍ମିତ ଅଙ୍ଗବସ୍ତ୍ର ଉପହାର ପ୍ରଦାନ କରାଯାଇଥିଲା ।
#OdishaHandloomCarnival #odisha #nnsodia