ଆରମ୍ଭ ହେଲା ଚଳିତ ବର୍ଷର ଇକୋ ରିଟ୍ରିଟ୍ । ଝଲସିବ ବେଳାଭୂମି, ପ୍ରାକୃତିକ ପରିବେଶର ମଜା ନେବେ ପର୍ଯ୍ୟଟକ । ଭର୍ଚୁଆଲରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡୀ ମୁହାଣ ନିକଟରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗତବର୍ଷ ପରି ୫ଟି ସ୍ଥାନ ସହ ଚଳିତ ବର୍ଷ ଆଉ ୨ଟି ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟର ମଜା । ପ୍ରଥମ କରି କୋରାପୁଟ ଓ ଗଞ୍ଜାମରେ ଇକୋ ରିଟ୍ରିଟ୍ ଓଡ଼ିଶା-୨୦୨୧ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଣାର୍କ, ଦାରିଙ୍ଗବାଡ଼ି, ଭିତରକନିକା, ସମ୍ବଲପୁର, ସାତକୋଶିଆ ସମେତ କୋରାପୁଟ ଓ ଗଞ୍ଜାମରେ ନିଆରା ଉତ୍ସବର ମଜା ନେଇ ପାରିବେ । ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । ପ୍ରାକୃତିକ ପରିବେଶରେ ଅନନ୍ୟ ଅନୁଭୂତି ନେବେ ପର୍ଯ୍ୟଟକ । ସେହିପରି କୋଣାର୍କ ପରି ଭିତରକନିକାରେ ମଧ୍ୟ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ଆଜିଠୁ ଭିତରକନିକାର ପେଣ୍ଠ ସମୁଦ୍ର ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜିତ ହେବ । ପର୍ଯ୍ୟଟକଙ୍କ ପାଇଁ କଟେଜ୍ ସହିତ ବିଳାସପୂର୍ଣ୍ଣ ଟେଣ୍ଟ, ଖେଳ ସହ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟ ଏବଂ ମନୋରଞ୍ଜନ ପାଇଁ ଭରପୂର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । କୋଣାର୍କର ରାମଚଣ୍ଡୀ ନିକଟ କୁଶଭଦ୍ରା ନଦୀ ମୁହାଣରେ ୭୦ଟି ଅତ୍ୟାଧୁନିକ ଟେଣ୍ଟ ନିର୍ମାଣ ହୋଇଛି । ଦିନ ବେଳା ପର୍ଯ୍ୟଟକମାନେ ଭିତରକନିକାର ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ଆଉ ରାତିରେ ସମୁଦ୍ରକୂଳରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବେ । ଇକୋ ରିଟ୍ରିଟକୁ ଲୋକେ ଧୀରେ ଧୀରେ ପସନ୍ଦ କରୁଥିବା ବେଳେ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ମଧ୍ୟ ଏଥିରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି । ଯେଉଁଥିପାଇଁ ଇକୋ ରିଟ୍ରିଟକୁ ଆହୁରି ସରସ ସୁନ୍ଦର କରିବାକୁ ଗୁରୁତ୍ୱ ଦେଉଛନ୍ତି ସରକାର ।