ଭୁବନେଶ୍ୱର(ଏନଏନଏସ୍): ରାଜ୍ୟ ସମବାୟ ଓ ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷିଋଣ ସମବାୟ ସମିତିମାନେ ଚାଷୀମାନଙ୍କୁ ସହଜରେ ଅର୍ଥାତ ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ଲକ୍ଷ ପର୍ୟ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି ।
୨୦୨୨-୨୩ରେ ୭ ଲକ୍ଷରୁ ଅଧିକ ଅତିରିକ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଉପକୃତ ହୋଇଛନ୍ତି । ଚାଷୀଙ୍କୁ ବିହନ ଓ ସାର ଯୋଗାଇବାରେ ପାକ୍ସ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି। ଅନ୍ୟପଟେ କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟର ଅନଲାଇନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ୬୬ଟି ନିୟନ୍ତ୍ରିତ ବଜାର କମିଟିକୁ ଇ-ନାମ ପ୍ଲାଟଫର୍ମରେ ସ୍ଥାନିତ କରାଯାଇଅଛି।
ସେହପରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ନେଇ ରିପୋର୍ଟ ପ୍ରଦାନ କରିଛନ୍ତି। ରାଜ୍ୟରେ ଡାକ୍ତର ଓ ବିଶେଷଜ୍ଞ ଚାହିବା ପୂରଣ କରିବାରେ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି। ଗତ ୬ ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ପିଜି ଇନ୍ଷ୍ଟିଚ୍ୟୁଟ ଆରମ୍ଭ କରାଯାଇଛି।
ପ୍ରତିବର୍ଷ ଏଠାରୁ ୨ହଜାର ୨ଶହ ଏମବିବିଏସ ଡାକ୍ତର ଓ ୮୨୬ ଜଣ ବିଶେଷଜ୍ଞ ପାଉଛି ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ବର୍ତ୍ତମାନ ଆବଶ୍ୟକ ଅନୁଯାୟୀ ଡାକ୍ତର ଚାହିଦା ପୂରଣ ହୋଇପାରିଛି। ୨୦୨୩ ଡିସେମ୍ବର ସୁଦ୍ଧା ଖାଲି ପଡ଼ିଥିବା ସମସ୍ତ ଏମବିବିଏସ ଡାକ୍ତର ପଦବୀ ପୂରଣ ହେବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୯୫ଲକ୍ଷ ୫୦ ହଜାର ପରିବାର ସାମିଲ ହୋଇଛନ୍ତି। ଏହାଦ୍ୱାରା ୩କୋଟି ୩୦ଲକ୍ଷ ଲୋକ ଉପକୃତ ହୋଇପାରୁଥିବା ସୂଚନା ରହିଛି ।