ଛାତ୍ରୀଙ୍କ କୋମଳ ଭବିଷ୍ୟତକୁ ଅନ୍ଧାରକୁ ଠେଲିଲା ଶିକ୍ଷା ବିଭାଗ | ବୋର୍ଡ ଓ ଜିଲ୍ଲା ଶିକ୍ଷା ବିଭାଗର ମନମାନୀ ଯୋଗୁ ୫ ଛାତ୍ରୀ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାରୁ ହୋଇଛନ୍ତି ବଞ୍ଚିତ | ଆଡମିଟ କାର୍ଡ ମିଳିଥିଲେ ମଧ୍ୟ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସିଟରେ ଏହି ପରୀକ୍ଷାର୍ଥୀଙ୍କ ନାଁ ନ ଥିବାରୁ ପରୀକ୍ଷା ଦେଇପାରିଲେନି ଛାତ୍ରୀ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଶରତଦେବ ହାଇସ୍କୁଲକୁ ଆସି ପରୀକ୍ଷା ଦେଇପାରିନଥିବା ଛାତ୍ରୀ ଓ ତାଙ୍କ ଅଭିଭାବକ |
ଆଜି ସାରା ରାଜ୍ୟରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷା କରାଯାଉଛି | ଗତ ଜାନୁଆରୀ ମାସରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା | ଆଳି ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ଏଣ୍ଟ୍ରାନ୍ସ ପାଇଁ କରିଥିଲେ ଆବେଦନ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଣ୍ଟ୍ରାନ୍ସ ପାଇଁ ଆଡମିଟ କାର୍ଡ ମଧ୍ୟ ମିଳିଥିଲା | ହେଲେ ଆଜି ସ୍ଥାନୀୟ ଶରତଦେବ ହାଇସ୍କୁଲରେ ପହଞ୍ଚି ପରୀକ୍ଷା ଦେବାବେଳେ ସେମାନେ ଏଣ୍ଟ୍ରାନ୍ସ ପାଇଁ ଅନୁପଯୁକ୍ତ ବୋଲି କହି ୫ ଛାତ୍ରୀଙ୍କୁ ସିଟରୁ ଉଠାଇ ଦେଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସିଟରେ ଏହି ପରୀକ୍ଷାର୍ଥୀଙ୍କ ନାଁ ନ ଥିବା କହି ସେମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏ ନେଇ ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ ମୁହଁ ଖୋଲିନାହାନ୍ତି | ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ସନ୍ଦେହ ଘେରରେ ଅଭିଭାବକ ଓ ଛାତ୍ରଛାତ୍ରୀ।