ଏନଏନଏସ୍: ଜମ୍ମୁରେ ୫ ଜଣ ସହିଦ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ପୁଅ। ସହିଦ୍ ଓଡ଼ିଆ ପୁଅ ହେଉଛନ୍ତି ଦେବାଶିଷ ବିଶ୍ୱାଳ । ଦେବାଶିଷଙ୍କ ଘର ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ୍ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ । ସୂଚନା ଅନୁସାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତ ସାହି ନିବାସୀ ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ ଜମ୍ମୁକଶ୍ମୀରରେ ମୁତୟନ ଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହିତ ସେନା ଟ୍ରାକରେ ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ ଦେବାଶିଷ । ତାଙ୍କର ଜଣେ ୭ ମାସର କନ୍ୟା ସନ୍ତାନ ରହିଛି ।
ରିପୋର୍ଟ ଅନୁସାରେ ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଏହା ଫଳରେ ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।