ବିଏସସି ନର୍ସିଂ ଛାତ୍ରୀମାନେ ଆଜି ବସିଛନ୍ତି ଧାରଣାରେ | ବିଭିର୍ନ ଦାବି ନେଇ ସେମାନେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ସମ୍ମୁଖରେ କରୁଛନ୍ତି ଆନ୍ଦୋଳନ | ବିଶ୍ୱବିଦ୍ୟାଳୟର ଯାଜପୁର ଚଣ୍ଡିଖୋଲରେ ଥିବା ଦ୍ୱିତୀୟ କ୍ୟାମ୍ପସର ନର୍ସିଂ ଛାତ୍ରୀ କରୁଛନ୍ତି ନିରବ ପ୍ରତିବାଦ | ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଛାତ୍ରୀ |
ନର୍ସିଂ ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଯାଜପୁର ଚଣ୍ଡିଖୋଲରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ଚାଲିଛି ନର୍ସିଂ ପାଠ୍ୟକ୍ରମ | ବିଶ୍ୱବିଦ୍ୟାଳୟର ଏହି ଦ୍ୱିତୀୟ କ୍ୟାମ୍ପସ ଗ୍ରାମୀଣ କ୍ୟାମ୍ପସ୍ ଭାବେ ପରିଚିତ | କିନ୍ତୁ ଦ୍ୱିତୀୟ କ୍ୟାମ୍ପସରେ ଲାଗି ରହିଛି ଅନେକ ସମସ୍ୟା | ସେଠାରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ନଥିବା ବେଳେ ଲାଇବ୍ରେରୀ ନାହିଁ କି, ପ୍ରାକ୍ଟିକାଲ ମଧ୍ୟ କରାଯାଉନି | ଏପରିକି ପିଲାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଉ ନାହିଁ | ତୃତୀୟ ପକ୍ଷ ସେମାନଙ୍କୁ ପ୍ରଦାନ କରୁଛନ୍ତି ପ୍ରମାଣପତ୍ର | ତେବେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ନର୍ସିଂ ପାଠ୍ୟକ୍ରମ ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ କାହିଁକି ପ୍ରମାଣପତ୍ର ପ୍ରଦାନ କରାଯାଉ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି | ଅନ୍ୟପକ୍ଷରେ ଆସନ୍ତାକାଲି ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ | ତେବେ ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ଛାତ୍ରୀ |