ଯୌତୁକ ଦେଇ ସହଜରେ ବାହା ହୋଇପାରୁଛନ୍ତି ଅସୁନ୍ଦରୀ ଝିଅ | ଅଧିକ ଟଙ୍କା ଦେଲେ ଅସୁନ୍ଦରୀ ଝିଅଙ୍କୁ ମିଳୁଛନ୍ତି ଧନୀ ଘର ପୁଅ | ଭାରତରେ ‘ଯୌତୁକ ପ୍ରଥା ‘ କୁ ବିରୋଧ କରାଯାଉଥିବା ବେଳେ ନର୍ସିଂ ବହିରେ ପିଲାଙ୍କୁ ପଢ଼ାଯାଉଛି ଯୌତୁକର ଉପକାରିତା | ଯାହାକୁ ନେଇ ଦେଖାଦେଇଛି ବିବାଦ | ଏହି ପାଠ୍ୟକ୍ରମକୁ ନେଇ ସୋସିଆଲ ମିଡିଆରେ ବେଶ ହଙ୍ଗାମା ଦେଖିବାକୁ ମିଳୁଛି | ବହିରେ ଯୌତୁକର ଉପଯୋଗିତା ବିଷୟରେ ଉଲ୍ଲେଖ ରହିଥିବା ପୃଷ୍ଠାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନର୍ସିଂ କାଉନସିଲ ସିଲାବସରୁ ଯୌତୁକ ବ୍ୟବସ୍ଥା ହଟାଇବାକୁ ଦାବି ଜୋର ଧରିଛି ।
ଭାରତରେ ‘ଯୌତୁକ ପ୍ରଥା ‘କୁ ଦୃଢ଼ ବିରୋଧ କରାଯାଇଛି | ଏହା ସତ୍ତ୍ୱେ ଆମ ଦେଶରେ ସମ୍ପୂର୍ଣ ବନ୍ଦ ହୋଇପାରିନି ଯୌତୁକ ଦିଆନିଆ | ଏବେ ପୁଣି ଏହି ବିଷୟ ଆଲୋଚନାର ବିଷୟ ପାଲଟିଛି | ବିଏସ୍ସି ନର୍ସିଂ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ ପଢୁଥିବା ଏହି ବହିରେ ଯୌତୁକର ଉପକାରିତା ବିଷୟରେ ଉଲ୍ଲେଖ ରହିଛି। ଏଥିରେ ଲେଖାଅଛି, ଯୌତୁକ ଯୋଗୁଁ ଘରକୁ ନୂଆ ଆସବାବପତ୍ର, ଟିଭି, ଫ୍ରିଜ୍, ଗାଡି ଆଦି ଆସିଥାଏ। ଯୌତୁକ ଯୋଗୁ ଝିଅ ପୈତୃକ ସମ୍ପତ୍ତିରୁ ବି ଭାଗ ପାଇଥାଏ। ଏହା ଝିଅ ମାନଙ୍କର ଶିକ୍ଷାଗ୍ରହଣ କରିବାରେ ସହାୟକ ହୋଇଥାଏ, କାରଣ ଯୌତୁକ ବୋଝ ନ ମୁଣ୍ଡେଇବା ପାଇଁ ଅଭିଭାବକ ସେମାନଙ୍କ ଝିଅକୁ ପାଠ ପଢାଇଥାନ୍ତି। ଶିକ୍ଷିତ ଓ ଚାକିରିଆ ଝିଅଙ୍କୁ କମ୍ ଯୌତୁକ ଦେବାକୁ ପଡିଥାଏ, ବାପା-ମା’ମାନେ ଝିଅମାନଙ୍କୁ ପାଠ ପଢାଇବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।
ଶିବସେନା ଏମପି ପ୍ରିୟଙ୍କା ଚତୁର୍ବେଦୀ ଯୌତୁକ ଭଳି ସାମାଜିକ ବ୍ୟାଧିକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଥିବାରୁ ଉଦବେଗ୍ ପ୍ରକାଶ କରିଛନ୍ତି | କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଚିଠି ଲେଖି ତୁରନ୍ତ ଏହାକୁ ବାଦ୍ ଦେବାକୁ ଅନୁରୋଧ କରିଛନ୍ତି । ସେପଟେ ଏହି ମମଲାକୁ ନେଇ ସ୍ପଷ୍ଟିକରଣ ରଖି ଏକ ନୋଟିଫିକେସନ୍ ଜାରି କରିଛି ଭାରତୀୟ ନର୍ସିଂ କାଉନସିଲ୍। ଦେଶର ନିୟମ ଉଲ୍ଲଙ୍ଘନ କରୁଥିବା ଏଭଳି ଅପମାନଜନକ ଲେଖାକୁ ଆଇଏନ୍ସି ମଧ୍ୟ ତୀବ୍ର ବିରୋଧ କରିଛି ।