ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନିର୍ବାଚନ ଅଧିକାରୀମାନେ ଜାରି କଲେ ବିଜ୍ଞପ୍ତି । ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ ଅଫିସରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବଜାଇ ତାରିଖ ଘୋଷଣା କରିଥିଲେ ରାଜ୍ୟ ନିର୍ବାଚନ କମିଶନ । ତେବେ ଜାନୁଆରୀ ୧୭ରୁ ୨୧ ଯାଏଁ ନାମାଙ୍କନପତ୍ର ଦାଖଲ କରାଯିବ । ସେହିଭଳି ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏଥର ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ଓ୍ବେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ । ଏହାସହ ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବୃଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ୍ ଗଣତି କରାଯିବ ।
ଅନ୍ୟପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍ ଗାଇଡ୍ଲାଇନ୍ ଜାରି କରାଯାଇଛି। ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।