ଭାରତୀୟ ସଡକରେ ପ୍ରଥମ ଥର ପାଇଁ ଗଡିଛି ହାଇଡ୍ରୋଜନ ଚାଳିତ କାର । ଆଉ ପ୍ରଥମ କରି ଏହି କାରରେ ଯାତ୍ରା କରିଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡକରୀ । ଆଜି ଏହି ସବୁଜ ହାଇଡ୍ରୋଜେନ ଚାଳିତ କାରରେ ବସି ସଂସଦରେ ପହଞ୍ଚିଥିଲେ ମନ୍ତ୍ରୀ | ମନ୍ତ୍ରୀ ଗଡକରୀ ଏହି କାର ଚଢି ସଂସଦରେ ପହଂଚିବା ପରେ ସେଠାରେ ଥିବା ଦେଖଣାହାରୀ ତାଜୁବ ହୋଇଯାଇଥିଲେ ।ଏହି କାରର ନାମ ହେଉଛି ‘ମିରାଇ’ | ଯାହାର ଅର୍ଥ ଭବିଷ୍ୟତ | କେନ୍ଦ୍ର ମନ୍ତ୍ରୀ କହିବା ଅନୁଯାୟୀ, ପେଟ୍ରୋଲ-ଡିଜେଲ ଏବଂ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି | ଏଥିସହିତ ପେଟ୍ରୋଲ ଏବଂ ଡିଜେଲରୁ ବହୁ ପ୍ରଦୂଷଣ ମଧ୍ୟ ହେଉଛି |
ନିତିନ ଗଡକରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମକୁ ତୈଳ ଉପରେ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପଡିବ। ଖୁବଶୀଘ୍ର ଭାରତକୁ ଆସିବ ଏହି କାର | ଯାହାକି ଦେଶରେ ଏକ ବଡ ବିପ୍ଳବ ହେବ | ‘ଆତ୍ମନିର୍ଭରଶୀଳ’ ହେବା ପାଇଁ, ଆମେ ସବୁଜ ହାଇଡ୍ରୋଜେନ୍ ଉପସ୍ଥାପନ କରିଛୁ ଯାହା ଜଳରୁ ଉତ୍ପନ୍ନ | ଏହି କାରଟି ଏକ ପାଇଲଟ୍ ପ୍ରୋଜେକ୍ଟ | ବର୍ତ୍ତମାନ ଦେଶରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ଆରମ୍ଭ ହେବ | ଆଗାମୀ ଦିୱାନ ଆମଦାନୀ ବନ୍ଦ ହୋଇଯିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ |
ଏହି କାରର ରହିଛି ସ୍ୱତନ୍ତ୍ରତା । ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ପରିବେଶ ପ୍ରଦୂଷଣ ରୋକିବାରେ ସହାୟକ ହେବ । ଟୋୟଟା କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରସ୍ତୁତ କରାଯାଇଛି । ଏହି କାରରେ ରହିଛି ଆଡଭାନ୍ସ ଫ୍ୟୁଏଲ ସେଲ । ଏହା ଫଳରେ ଏହି ଆଡଭାନ୍ସ ସେଲ ଅକ୍ସିଜେନ ଓ ହାଇଡ୍ରୋଜନ ମିଶ୍ରଣରେ ବିଦ୍ୟୁତ୍ ପ୍ରସ୍ତୁତ କରିବ ଓ ଏହି ବିଦ୍ୟୁତ୍ ସହାୟତାରେ କାର ଚାଲିବ । ସାଧାରଣ କାରରୁ ଧୂଆଁ ବାହାରୁ ଥିବା ବେଳେ ଏହି ହାଇଡ୍ରୋଜନ କାରରୁ କେବଳ ବିଷର୍ଜନ ଭାବେ ପାଣି ନିର୍ଗତ ହେବ |