ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଜାତୀୟ ହାର ତୁଳନାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଥିବାରୁ ଖୁସି ବ୍ୟକ୍ତ କଲେ । ବିଭିନ୍ନ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିଲେ ।ନୀତି ଆୟୋଗଙ୍କ ସହ ବସିଥିବା ରାଜ୍ୟ ସରକାରଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଅନେକ ଗୁଡିଏ ଦାବି ରଖିଛନ୍ତି । ଅନ୍ୟପଟେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଯେଉଁଭଳି କାର୍ଯ୍ୟ କରୁଛି ସେଥିପାଇଁ ନୀତି ଆୟୋଗ ଉପାଧ୍ୟକ୍ଷ ମଧ୍ୟ ରାଜ୍ୟକୁ ପ୍ରଂଶସା କରିଛନ୍ତି । ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ନିକଟରେ ଦାବି କରିଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ତାଳ ରଖି ନୀତି ଆୟୋଗ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଥିବା କହିଛନ୍ତି । ଓଡ଼ିଶା ସବୁବେଳେ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । କିନ୍ତୁ ଏହାର ମୁକାବିଲା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ । ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ନୀତି ଆୟୋଗ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟପଟେ ଓଡ଼ିଶାର ଉନ୍ନତି ପାଇଁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ବୃଦ୍ଧି, କୃଷି ଏବଂ ଖଣିରେ ଉନ୍ନତି ସହିତ ଆର୍ଥିକ ନିଅଣ୍ଟକୁ ପାଞ୍ଚ ପ୍ରତିଶତରୁ କମ୍ ପରିଚାଳନା ପାଇଁ ନୀତି ଆୟୋଗ ଅଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖଣିଜ ଉତ୍ପାଦନକୁ ଏକ ପ୍ରତିଶତରୁ ଦୁଇ ପ୍ରତିଶତରୁ ଅଧିକ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହାସହ ଏସଡିଜି ମନିଟରିଂ ୟୁନିଟ୍ ଗଠନ କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟରେ ରାସାୟନମୁକ୍ତ କୃଷିର ବହୁଳ ପ୍ରବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜୀବ କୁମାର ।