ସମଗ୍ର ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚାଇଛି | କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ୍ ନିଜ ବାହାଘରକୁ ସ୍ଥଗିତ ରଖିଛନ୍ତି ।ଦେଶରେ ଦ୍ରୁତ ବେଗରେ ବଢୁଥିବା ଓମିକ୍ରନ୍ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରାଯାଇଥିବା କଟକଣା ଯୋଗୁଁ ଗତକାଲି ଥିବା ମୁଁ ମୋର ବିବାହକୁ ବାତିଲ କରିଛି ବୋଲି ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ୍ କହିଛନ୍ତି। ସେ ନିଜେ ଜାରି କରିଥିବା କଟକଣା ଯେପରି ଉଲ୍ଲଂଘନ ହେବ ନାହିଁ ସେଥିଲାଗି ଏହି ନିଷ୍ପତି ନେଇଥିବା କହିଛନ୍ତି | 40 ବର୍ଷୀୟ ଜାକିଣ୍ଡା ଆର୍ଡନ ଗତକାଲି ତାଙ୍କର ଦୀର୍ଘ ଦିନର ବନ୍ଧୁ କ୍ଲାର୍କ ଗୟଫୋର୍ଡଙ୍କ ସହିତ ବିବାହ କରିଥାନ୍ତେ । ସ୍ଥିତି ସ୍ୱାଭାବିକ ହେବା ପରେ ବିବାହ କରିବେ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ୍ କହିଛନ୍ତି ଡେଲଟା ତୁଳନାରେ ଓମିକ୍ରନ ଶୀଘ୍ର ସଂକ୍ରମିତ ହେଉଛି । ଏପରି ସ୍ଥିତିରେ କଟକଣା ଲଗାଇବା ଜରୁରୀ । ତେଣୁ କଟକଣା ବେଳେ ଗହଳି ନକରିବାକୁ ନିବେଦନ କରିଛନ୍ତି । ଏଥିସହ ଫେସ୍ ମାସ୍କ ଲଗାଇବା ଉପରେ ଜୋର ଦେଇଛନ୍ତି । ନ୍ୟୁଜିଲାଣ୍ଡରେ ଏବେ ସୁଦ୍ଧା ୧୫ ହଜାର ୧୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୨ ଜଣଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି ନ୍ୟୁଜିଲ୍ୟାଣ୍ଡରେ ଏକ ବିବାହ ଉତ୍ସବ ପରେ ଓମିକ୍ରନ୍ ର 9 ଟି ମାମଲା ସାମ୍ନାକୁ ଆସିଥିଲା | ସେବେଠାରୁ ଏଠାରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇଛି | ନୂତନ କଟକଣା ଅନୁଯାୟୀ, ନ୍ୟୁଜିଲାଣ୍ଡରେ ଏବେ ବିବାହ ବେଳେ ୧୦୦ ଜଣଙ୍କୁ ଯୋଗ ଦେବାର ଅନୁମତି ରହିଛି । ଆଉ ଏହି ୧୦୦ ଜଣ ଟିକାର ସମସ୍ତ ଡୋଜ ନେଇଥିବା ଜରୁରୀ ।
ସୂଚନା ଥାଉକି, ଗତ ବର୍ଷ ଅକ୍ଟୋବରରେ କ୍ଷମତାକୁ ଆସିବା ପରେ 2017 ରେ ନ୍ୟୁଜିଲ୍ୟାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ ଜାକିଣ୍ଡା। ସେ ତାଙ୍କ ଲେବର ପାର୍ଟି ଜରିଆରେ ବହୁ ମତଦାନରେ ବିଜୟୀ ହୋଇଥିଲେ।