କରୋନାର ଏକ ନୂଆ ପ୍ରଜାତିଣ୍ଟ ଓମିକ୍ରୋନ୍ ଏବେ ସମଗ୍ର ବିଶ୍ୱରେ ଚିନ୍ତା ବଢ଼ାଇଛି । ଦକ୍ଷିଣଆଫ୍ରିକାରେ ପ୍ରଥମେ ଏହି ନୂଆ ଭାରିଏଣ୍ଟ ଦେଖିବାକୁ ମିଳିଥିବାବେଳେ ଅନ୍ୟ ଦେଶରେ ବି ଏବେ ମାମଲା ଦେଖିବାକୁ ମିଳିଛି । ବିଶେଷଜ୍ଞମାନେ କହିଛନ୍ତି ଓମିକ୍ରନକୁ ନେଇ କøଣସି ନିଷ୍ପତ୍ତିରେ ପହଞ୍ଚିବା ଠିକ୍ ନୁହେଁ । ତେବେ ଓମିକ୍ରନ୍ ଯୁବଗୋଷ୍ଠୀଙ୍କ ଉପରେ ବିପଦ ଆଣିପାରେ ବୋଲି ଅନୁମାନ କରାଯାଉଛି । କାରଣ ଓମିକ୍ରନ ଭାଇରାସ୍ ସାମ୍ନାକୁ ଆସିବା ଦିନରୁ ଅଧିକାଂଶ ଯୁବଗୋଷ୍ଠୀ ହିଁ ଏଥିରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରୋନ୍ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ସେବାନେ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଏବେ ଓମିକ୍ରୋନ୍ ଭାରିଏଣ୍ଟର ହଟ୍ସ୍ପଟ୍ରେ ପରିଣତ ହୋଇଛି । ଏହି ୟୁନିଭର୍ସିଟିର ଅନେକ ଛାତ୍ରଛାତ୍ରୀ ସଂକ୍ରମଣର ଶିକାର ହୋଇଛନ୍ତି । ଫଳରେ ୟୁନିଭର୍ସିଟି ପ୍ରଶାସନ କେତେକ ପରୀକ୍ଷାକୁ ବାତିଲ କରିଛି ।
ଭାରତରେ ଦ୍ୱିତୀୟ ଲହର ସମୟରେ ତାଣ୍ଡବ ରଚାଇଥିବା ଡେଲଟା ଭାରିଏଣ୍ଟଠାରୁ ଏହା ୬ ଗୁଣ ଅଧିକ ଘାତକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଓମିକ୍ରନ୍ ଭଳି ବିପଦପୂର୍ଣ୍ଣ ଭାରିଏଣ୍ଟ ଉପରେ ମେନୋକ୍ଲୋନଲ ଆଣ୍ଟିବଡ଼ିସ୍ କିଛି କାମ କରିବ ନାହିଁ । ଏହି ଭାରିଏଣ୍ଟର ବିପଦ ଏବଂ ଲକ୍ଷଣକୁ ନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।
କେତେ ବିପଦପୂର୍ଣ୍ଣ ଓମିକ୍ରନ୍ ଭାରିଏଣ୍ଟ : ଦକ୍ଷିଣ ଆଫ୍ରିକା ସମତେ ଅନ୍ୟ ଦେଶରେ ଓମିକ୍ରନ୍ ସଂକ୍ରମଣର ପ୍ରାରମ୍ଭିକ ବିଶ୍ଳେଷଣର ଆଧାର ଉପରେ ଏହା ଡେଲଟା ଭାରିଏଣ୍ଟଠାରୁ ୬ଗୁଣ ସଂକ୍ରମକ । ଏହା ଲୋକଙ୍କ ଇମ୍ୟୁନି ସିଷ୍ଟମକୁ ମଧ୍ୟ ନଷ୍ଟ କରିଦେବ ବୋଲି କୁହାଯାଉଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଓମିକ୍ରନ୍ କବଳରୁ ରକ୍ଷା ପାଇପାରିବେ ନାହିଁ । ଓମିକ୍ରନରେ ଭାଇରସର ସବୁଠାରୁ ଅଧିକ ମ୍ୟୁଟେଟ୍ ଭର୍ସନ ଦେଖିବାକୁ ମିଳିଛି । ଏହାପୂର୍ବରୁ କୌଣସି ଭାଇରସରେ ଏତେମାତ୍ରାରେ ମ୍ୟୁଟେସନ୍ ଦେଖିବାକୁ ମିଳିନାହିଁ । ତେଣୁ ନୂଆ ଭାରିଏଣ୍ଟକୁ ନେଇ ଖୁବ୍ ଚିନ୍ତାରେ ପଡ଼ିଯାଇଛନ୍ତି ବିଶେଷଜ୍ଞ । ବୈଜ୍ଞାନିକମାନେ କହିଛନ୍ତି, ଓମିକ୍ରନ୍ ପୁରୁଣା ଭାଇରସ୍ ବିଟା ଏବଂ ଡେଲଟା ଭାରିଏଣ୍ଟ ର ବଂଶାନୁକ୍ରମିକ ଗୁଣଠାରୁ ଭିନ୍ନ ।
ଓମିକ୍ରନ୍ ସଂକ୍ରମଣର ଲକ୍ଷଣ : ଦକ୍ଷିଣଆଫ୍ରିକାରେ ପ୍ରଥମେ ଏହି ନୂଆ ଭାରିଏଣ୍ଟ କୁ ଚିହ୍ନଟ କରିଥିବା ଡାକ୍ତର ଏଞ୍ଜେଲିକେ କୋଏଟଜି କହିଛନ୍ତି, ଜଣେ କମ୍ ବୟସ୍କ ଯୁବକଙ୍କଠାରେ ପ୍ରଥମେ ମୁଁ ଏହି ଭାଇରସ୍ର ଲକ୍ଷଣ ଦେଖିଥିଲି । ଏହି ଯୁବକ ଜଣଙ୍କ ବୟସ ପାଖାପାଖି ୩୦ବର୍ଷ । ସେ କହିଥିଲେ ଏହି ରୋଗୀଙ୍କୁ ବହୁତ୍ ହାଲିଆ ଲାଗିବା, ସାମାନ୍ୟ ମୁଣ୍ଡବିନ୍ଧା ସହ ସମଗ୍ର ଶରୀରରେ ପୀଡା ଅନୁଭବ ହୋଇଥିଲା । ତଣ୍ଟି ଛିଣ୍ଟିଗଲା ଭଳି ଅନୁଭବ ହେଉଥିଲା । କିନ୍ତୁ ତାଙ୍କୁ କାଶ ହେଉ ନ ଥିଲ କି ସ୍ୱାଦ ଏବଂ ବାସ୍ନାର କ୍ଷମତା ହ୍ରାସ ହୋଇନଥିଲା । ଡାକ୍ତର କୋଏଟଜି କହିଛନ୍ତି, ଦକ୍ଷିଣଆଫ୍ରିକାରେ ଅନ୍ୟ ଜଣେ ରୋଗୀଙ୍କ ପୂରା ପରିବାର ଏହି ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ । ତେବେ ସମସ୍ତ ସଂକ୍ରମିତଙ୍କ ନିକଟରେ ବହୁତ ହାଲକା ଲକ୍ଷଣ ଦେଖାଯାଇଥିଲା । ସେ କହିଛନ୍ତି ଏଭଳି ହାଲୁକା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଆବଶ୍ୟକତା ନାହିଁ ।
ଓମିକ୍ରନରେ କବଳିତ ଅନ୍ୟ ଦେଶ : ଦକ୍ଷିଣଆଫ୍ରିକାରେ ପ୍ରଥମେ ମିଳିଥିବା ଘାତକପୂର୍ଣ୍ଣ ଓମିକ୍ରନ୍ ଅନ୍ୟ ଦେଶରେ ମଧ୍ୟ ନିଜ କାୟା ବିସ୍ତାର କରିସାରିଲାଣି । ଶନିବାର ଦିନ ଜର୍ମାନୀ, ଇଟାଲୀ, ବେଲଜିୟମ, ଇସ୍୍ରାଏଲ୍ ଏବଂ ହଂକଂରେ ଏହି ମାମଲା ସାମ୍ନାକୁ ଆସିଛି । ବ୍ରିଟେନ୍ରେ ମଧ୍ୟ ୨ ଟି ମାମଲା ନଜର ଆସିଛି । ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ବିମାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଓମିକ୍ରନର ଆସିଲା ପ୍ରଥମ ୩ଡି ଚିତ୍ର : ଇଟାଲୀ ରୋମ୍ର ପ୍ରତିଷ୍ଠିତ ବମ୍ବିନୋ ଗେସୁ ହସ୍ପିଟାଲ ଓମିକ୍ରନ୍ର ପ୍ରଥମ ୩ଡି ଫଟୋ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଓମିକ୍ରନରେ ଡେଲଟା ଭାରିଏଣ୍ଟଠାରୁ ଅଧିକ ମ୍ୟୁଟେସନ୍ ରହିଛି । ଓମିକ୍ରନର ଉପରିଭାଗରେ ଅଧିକ ପ୍ରୋଟିନ୍ ରହିଛି ଯାହା ମନୁଷ୍ୟ କୋଷକଣିକା ସହିତ ସିଧାସଳଖ ସମ୍ପର୍କ କରିବ । ତେଣୁ ଏହା ଡେଲଟା ଭାରିଏଣ୍ଟଠାରୁ ଅଧିକ ଘାତକ ସାବ୍ୟସ୍ତ ହେବନି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଓମିକ୍ରନ୍ ମ୍ୟୁଟେସନ୍ ବିଷୟରେ ଅଧିକ ସୂଚନା ପାଇଁ ଏବେ ଏହା ଉପରେ ରିସର୍ଚ୍ଚ କରାଯାଉଛି । ସାଉଥ୍ ଆଫ୍ରିକା, ବାତ୍ସୋବନା ଏବଂ ହଂକଂର ବୈଜ୍ଞାନକଙ୍କ ତରଫରୁ ଦିଆଯାଇଥିବା ସୂଚନା ଉପରେ ଏହି ଚିତ୍ର ପ୍ରସ୍ତୁତ କରାଯାଇଛି ।