ଜଣେ 57 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଲାଗିଲା ଘୁଷୁରୀର ହୃଦୟ | ଆମେରିକାର ଡାକ୍ତରମାନେ ଜେନେଟିକ୍ ରୂପାନ୍ତରିତ ଘୁଷୁରୀର ହୃଦୟକୁ ଏହି ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିଛନ୍ତି | ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ପ୍ରଥମ ଥର ଏଭଳି ଏକ ବିରଳ ଅସ୍ତ୍ରୋପଚାର କରାଯାଇଥିଲା। ମେରିଲ୍ୟାଣ୍ଡ ମେଡିକାଲ ୟୁନିଭରସିଟିର ଡାକ୍ତରମାନେ ସୋମବାର ଏ ବିଷୟରେ ସୂଚନା ଦେଇଛନ୍ତି। 7 ଘଣ୍ଟା ଧରି ଚାଲିଥିବା ଅସ୍ତ୍ରୋପଚାର ପରେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଡାକ୍ତରମାନେ କହିଛନ୍ତି।
ମେରିଲ୍ୟାଣ୍ଡରେ ରହୁଥିବା ଡେଭିଡ ବେନେଟ ଦୀର୍ଘ ସମୟ ଧରି ହୃଦଘାତ ରୋଗରେ ପୀଡିତ ଥିଲେ | ଧୀରେ ଧୀରେ ସମସ୍ୟା ବଢିବା ସହ ଶେଷ ବିକଳ୍ପ ଭାବରେ ଘୁଷୁରୀର ହୃଦୟକୁ ପ୍ରତିରୋପଣ କରିବା ପାଇଁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଥିଲେ | ଯେତେବେଳେ ଡେଭିଡ ବେନେଟଙ୍କୁ ଏହି ବିଷୟରେ ପଚରାଗଲା, ସେ କହିଥିଲେ ଯେ ମୋ ସାମ୍ନାରେ କେବଳ ଦୁଇଟି ମାତ୍ର ବିକଳ୍ପ ଅଛି, ମୃତ୍ୟୁ କିମ୍ବା ଟ୍ରାନ୍ସପ୍ଲାଣ୍ଟ | ଏହା ଅନ୍ଧାରରେ ତୀର ମାରିବା ପରି, କିନ୍ତୁ ମୁଁ ବଞ୍ଚିବାକୁ ଚାହେଁ |
ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଏହି ଅସ୍ତ୍ରୋପଚାର ସଫଳ ହୁଏ ତେବେ ବିଜ୍ଞାନ କ୍ଷେତ୍ରରେ ଏହା ଏକ ବଡ଼ ଚମତ୍କାର ହେବ। ଏହା ସହିତ ବର୍ଷ ବର୍ଷ ଧରି, ପଶୁ ଶରୀରକୁ ମାନବ ଶରୀରରେ ସ୍ଥାନାନ୍ତର କରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ପ୍ରମାଣିତ ହେବ | ପ୍ରତିରୋପଣ ପରେ ଘୁଷୁରୀର ହୃଦୟ ଠିକ୍ ଭାବରେ କାମ କରୁଛି | ଏବେ ଡେଭିଡ ବେନେଟ ହୃଦୟ ଏବଂ ଫୁସଫୁସକୁ ବାଇପାସ ମେସିନ ଉପରେ ରଖାଯାଇଛି | ଏଠାରେ ଡାକ୍ତରଙ୍କ ଏକ ଟିମ୍ କ୍ରମାଗତ ଭାବରେ ତାଙ୍କ ଉପରେ ନଜର ରଖିଛନ୍ତି। ଆଗାମୀ କିଛି ସପ୍ତାହ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ କହିଛନ୍ତି |
ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଘୁଷୁରୀର ହୃଦୟ କାହିଁକି ? ପ୍ରତିରୋପଣ ରିପୋର୍ଟରୁ ଜଣାପଡିଛି ଯେ ଘୁଷୁରି ହୃଦୟ ମଣିଷ ପ୍ରତିରୋପଣ ପାଇଁ ଉପଯୁକ୍ତ | କିନ୍ତୁ ଘୁଷୁରୀ କୋଷରେ ଏକ ଆଲଫା-ଗାଲ୍ ଚିନି କୋଷ ରହିଥାଏ | ମାନବ ଶରୀର ଏହି କୋଷକୁ ଗ୍ରହଣ କରେ ନାହିଁ, ଯେଉଁଥିପାଇଁ ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡିପାରେ | ଏହି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଘୁଷୁରିର ଜେନେଟିକ୍ ରୂପାନ୍ତରିତ ହୋଇଥିଲା |
ମେରୀଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ମହମ୍ମଦ ମୋହିଉଦ୍ଦିନ କହିଛନ୍ତି ଯେ ଯଦି ଏହି ଅସ୍ତ୍ରୋପଚାର ସଫଳ ହୁଏ ତେବେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ନୂତନ ଆଶା ହେବ। ତେବେ 1984 ରେ, ଏକ ମାଙ୍କଡର ହୃଦୟ ଏକ ଶିଶୁର ଶରୀରରେ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା, କିନ୍ତୁ ଅସ୍ତ୍ରୋପଚାରର ମାତ୍ର 21 ଦିନ ପରେ ଶିଶୁର ମୃତ୍ୟୁ ହୋଇଥିଲା |