ନୂଆଦିଲ୍ଲୀ,୧୧.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଦ୍ରୁତ ବିକାଶ ପଥରେ ଦେଶ । ବଦଳିବ ଟେକ୍ନୋଲୋଜି ବଦଳିଯିବ ଟେକ୍ନୋ ସେବା । ଦେଶ ଏବେ ୫ଜି ଦ୍ରୁତ ଇଣ୍ଟରନେଟ ସେବା ର ଲାଭ ପାଉଛି ।ଆଉ କିଛିଦିନ ପରେ ହାତପାହାନ୍ତାକୁ ଆସିଯିବ ୬ ଜି ସେବା । ଏଥିପାଇଁ ଆରମ୍ଭ ହୋଇଗଲାଣି ପ୍ରକ୍ରିୟା । କୁହାଯାଉଛି ୬ଜି ଆସିବାପରେ ନୂଆଯୁଗ ଆରମ୍ଭ ହୋଇଯିବ । କାରଣ ଏହି ସେବା ଆସିବା ପରେ ଇଂଟରନେଟ୍ ର ଗତି ଅନେକ ହଜାର ଗୁଣ ବଢ଼ିଯିବ । ଦେଖିବାକୁ ଗଲେ କିଛି ବର୍ଷ ତଳେ ଇଂଟରନେଟ୍ ସର୍ଫି ଏବେ ସହଜ ନଥିଲା । ୨୦୦୯ରେ ୨ଜି ସେବା ମିଳୁଥିଲା ତାର ଗତି ବହୁତ ଧିମା ଥିଲା । ଏହାପରେ ୨୦୧୨ରେ ଆସିଲା ୪ଜି ସେବା । ୪ଜି ଆସିବା ପରେ ଇଂଟରନେଟ୍ ଗତି ଟିକେ ବଢ଼ିଲା ଓ ସର୍ଫି ଓ ଅନ୍ଲାଇନ୍ ଭିଡିଓ ଦେଖିବା ଟିକେ ସହଜ ହେଲା । ୪ଜି ପରେ ଭାରତରେ ଏବେ ୫ଜି ସେବା ମିଳୁଛି, ଯାହାଦ୍ୱାରା ଆମେ ଦ୍ରୁତ ଇଂଟରନେଟ୍ ସେବା ପାଇ ପାରୁଛୁ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣପୂର୍ଣ୍ଣ କଥା ହେଲା ଏହି ସେବାକୁ ଆମେ ବିଦେଶ କୌଶଳରୁ ପାଇ ଆସୁଥିଲୁ । କିନ୍ତୁ ଏବେ ୬ଜି ସେବାକୁ ଆମେ ସ୍ୱଦେଶୀ ଟେକ୍ନିକ୍ ଉପରେ ପାଇପାରିବା । ଏଥିପାଇଁ ୨୦୨୦ ମସିହାରୁ ଗବେଷଣା ଆରମ୍ଭ ହୋଇସାରିଛି । ତେବେ ଏହି ସେବାକୁ ଆରମ୍ଭ କରିବା ପୂର୍ବରୁ ଭାରତକୁ ମୋବାଇଲ ଟେକ୍ନିକ୍କୁ ବି ବିକଶିତ କରିବାକୁ ହେବ । ଭାରତରେ ୬ ଜି ସେବାକୁ ତ୍ୱରାନ୍ୱିତ କରିବା ପାଇଁ ନିକଟରେ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଟେଷ୍ଟ ବେଡ୍ ବି ଆରମ୍ଭ କରିଛନ୍ତି । କାରଣ ସରକାରଙ୍କ ମତରେ ଟେଷ୍ଟ ବେଡ୍ ଅଭାବରୁ ଭାରତୀୟ ଟେଲିକମ୍ ଟେକ୍ନିକ୍ ପଛରେ ପଡ଼ିଯାଇଛି । ଆଗରୁ ଦେଶରେ ଟେଷ୍ଟ ବେଡ୍ ସୁବିଧା ନଥିବାରୁ ଭାରତୀୟ କମ୍ପାନୀମାନେ ବିଦେଶ ପରୀକ୍ଷଣ ସୁବିଧା ଉପରେ ନିର୍ଭରଶୀଳ ରହୁଥିଲେ । ଏବେ ଭାରତରେ ଏହି ସୁବିଧା ମିଳିବା ଦ୍ୱାରା କମ୍ପାନୀ ଗୁଡ଼ିକର ଖର୍ଚ୍ଚ କମିବା ସହିତ ଟେକ୍ନିକ୍ କୁ ପ୍ରାମାଣିକତା ବି ମିଳିବ ।
୬ଜି ଆସିଲେ କ’ଣ ବଦଳିବ-
୬ଜି ଆସିବା ପରେ ଏକ ଟେରାବାଇଟ୍ ଡାଟା (୧୦,୦୦,୦୦୦ ଏମ୍ବିପିଏସ୍) ଏକ ସେକେଣ୍ଡରେ ପଠାଯାଇ ପାରିବ । ଅର୍ଥାତ ଏହାର ଗତି ୫ଜି ତୁଳନାରେ ୮ହଜାର ଗୁଣ ଅଧିକ ରହିବ । ୫ଜିରେ ଏକ ସେକେଣ୍ଡରେ ଏକ ଜିବି ଡାଟା ପଠାଯାଉଛି, ଅର୍ଥାତ ୫ଜିରେ ଗୋଟିଏ ଫିଲ୍ମକୁ ଡାଉନ୍ଲୋଡ୍ ପାଇଁ ୧ରୁ ୨ମିନିଟ୍ ଲାଗୁଛି । କିନ୍ତୁ ୬ଜି ଆସିଲେ ଏହାକୁ ମାତ୍ର କେତେ ସେକେଣ୍ଡରେ ଡାଉନ୍ଲୋଡ୍ କରିହେବ । ଭଲ ସିଗ୍ନାଲ ବି ମିଳିବ । କୁହାଯାଉଛି ୬ଜିର ଆରମ୍ଭ ୨୦୩୦ ସୁଦ୍ଧା ହୋଇଯିବ । ଏବେ ଆମେରିକା, ଚୀନ୍ ଦକ୍ଷିଣ କୋରିଆ, ଜାପାନ ଓ ୟୁରୋପ ସହିତ ଅନେକ ଦେଶରେ ୬ଜି ଆପ୍ଲିକେଶନ ପେଟେଂଟ କରାଯାଇଛି । ୬ଜିର ଆପ୍ଲିକେଶନ ୫ଜି ଠାରୁ ସଂପୂର୍ଣ୍ଣ ଭାବେ ଅଲଗା ହେବ ।