ବାଲ୍ୟ ବିବାହ ମୁକ୍ତ ଘୋଷଣା ହୋଇଥିବା ୨୩୮୮ ଗାଁକୁ ୭୧ଲକ୍ଷ ୬୪ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି। ପଞ୍ଚାୟତ ତରଫରୁ ଏହାକୁ ଗାଁ ପାଇଁ ଖର୍ଚ କରାଯିବ ବୋଲି ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ କହିଛି। ସୂଚନା ଅନୁଯାୟୀ, ଓଡ଼ିଶାର ସମୁଦାୟ ପ୍ରାୟ ୫୧ ହଜାର ଗାଁ ମଧ୍ୟରୁ ପାଖାପାଖି ୧୦ ହଜାର ଗାଁ ବାଲ୍ୟ ବିବାହ ମୁକ୍ତ ହୋଇଥିବା ନେଇ ଘୋଷଣା ହୋଇଛି। ନିକଟରେ ଘୋଷିତ ଏହି ୨୩୮୮ ଗାଁ ମଧ୍ୟରୁ ବାଲେଶ୍ବରର ୫୨, ବୌଦ୍ଧର ୧୭୧, କନ୍ଧମାଳର ୨୯୮, ମାଲକାନଗିରିର ୭୯, ମୟୂରଭଞ୍ଜର ୨୦୭, ନବରଙ୍ଗପୁରର ୨୮୧, ରାୟଗଡ଼ାର ୫୫୯, ସୁବର୍ଣ୍ଣପୁର ଜିଲ୍ଲାର ୭୪୧ଟି ଗାଁ ରହିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ୨୦.୫ % ବାଲ୍ୟ ବିବାହ ହେଉଛି। ଏଥିରେ ନବରଙ୍ଗପୁରରେ ସର୍ବାଧିକ ୩୯.୪%, ନୟାଗଡ଼ରେ ୩୫.୪ %, ଅନୁଗୁଳରେ ୨୫ %, ବାଲେଶ୍ବରରେ ୨୬.୪ %, ବୌଦ୍ଧରେ ୨୫.୩ %, ଢେଙ୍କାନାଳରେ ୨୩.୭ %, ଗଜପତିରେ ୨୮.୧ %, ଗଞ୍ଜାମରେ ୨୨.୩ %, କେନ୍ଦୁଝରରେ ୨୯ %, କୋରାପୁଟରେ ୩୫.୫ %, ମାଲକାନଗିରିରେ ୩୨.୪ %, ମୟୂରଭଞ୍ଜରେ ୩୧.୩ %, ରାୟଗଡ଼ାରେ ୩୩.୨ %, ଭଦ୍ରକରେ ୧୦.୪ %, ଜଗତସିଂହପୁର ୧୨ %, ଯାଜପୁରରେ ୧୧.୪ %, ପୁରୀରେ ୧୦.୨ % ରହିଛି।
ସୂଚନାଯୋଗ୍ୟ, ବିଭିନ୍ନ ଜିଲ୍ଲାର ଗାଁଗୁଡ଼ିକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାକୁ ପଞ୍ଚାୟତସ୍ତରରୁ ପ୍ରସ୍ତାବ ଦିଆଯାଏ। ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ଟାସ୍କ ଫୋର୍ସ କମିଟି ସ୍ଥିତି ଅନୁଧ୍ୟାନ ପରେ ଅନୁମୋଦନ କରନ୍ତି। ସେହି ଅନୁଯାୟୀ, ଗାଁଗୁଡ଼ିକୁ ପ୍ରୋତ୍ସାହନ ରାଶି ଦିଆଯାଏ।