ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ଏ ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗାଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ | ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ ର ୪୭ ହଜାର ଲୋକ ଉପକୃତ ହେବେ । ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଉପରୋକ୍ତ ବ୍ଲକ୍ଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀ ମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ।
ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକ୍ ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ହେଉଛି ଓଡିଶାର ବିକାଶର ବତୀ ଘର । ରାଉରକେଲା ସହର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଓ ରାଉରକେଲାର NIT ଓଡିଶାର ଗୌରବ ବୃଦ୍ଧି କରିଛି । ଏହି ତିନୋଟିଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡିତ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି । ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି । ସୁନ୍ଦରଗଡରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବାକୁ ଯାଉଛି । ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡରେ AIIMS ସୁନ୍ଦରଗଡବାସୀଙ୍କର ହକ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୁନ୍ଦରଗଡରେ ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ନାୟକ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।