ଜଗତସିଂହପୁର ନାଉଗାଁ ପଞ୍ଚାୟତ ସମିତି ଦଖଲ କରିବାକୁ ଏବେ ଠାରୁ ଆରମ୍ଭ ହେଲାଣି କସରତ | ସ୍ଵର୍ଗତ ମନ୍ତ୍ରୀ ବିଷ୍ନୁ ଦାସଙ୍କ ସମୟରେ ନିଜ ସ୍ଵପ୍ନ ପୂରଣ ହୋଇପାରି ନଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜ ମସୁଧାକୁ ପୂରଣ କରିବା ଲାଗି କସରତ ଆରମ୍ଭ କରିଦେଇଛନ୍ତି ବ୍ଲକ୍ ବିଜେଡି ସଭାପତି ସୁଜିତ୍ କୁମାର ମଲ୍ଲିକ | ଚଳିତ ଥର ପଞ୍ଚାୟତ ସମିତି ଦଖଲ କରିବା ଉଦ୍ଦେଶ୍ଯରେ ନିଜ ଧର୍ମପତ୍ନୀ ଏଲିନାଙ୍କୁ ସେ ଆଜି ଘୋଡାଂଶ ପଞ୍ଚାୟତରେ ସମିତି ସଭ୍ଯ ପାଇଁ ନାମାଙ୍କନ ପତ୍ର ଦାଖଲ କରାଇଛନ୍ତି | କିନ୍ତୁ ତାଙ୍କ ରାସ୍ତାରେ ଏବେ କଣ୍ଟା ସାଜିଛନ୍ତି ତରୁଣକାନ୍ତ ବାରିକ | ତରୁଣକାନ୍ତ ଗତ ନିର୍ବାଚନରେ ନିଜ ମାଙ୍କୁ ସରପଞ୍ଚ ଭାବେ ଛିଡା କରାଇ ଜିତାଇ ଥିଲେ | ଏଥିସହିତ ତାଙ୍କର ପଞ୍ଚାୟତରେ ମଧ୍ୟ ରହିଛି ବେଶ୍ ଦବଦବା | ତରୁଣକାନ୍ତ ଲୋକଙ୍କ ସହିତ ଦୀର୍ଘ ଦିନ ରହିଥିବା ବେଳେ ଏବେ ସେ ହିଁ କେବଳ ଏଲିନାଙ୍କୁ ଚେକ୍ ଦେଇ ସୁଜିତ୍ ଙ୍କ ରାଜନୈତିକ ଉଦ୍ଦେଶ୍ୟକୁ ଧୂଳିସାତ୍ କରିବେ ବୋଲି ଚର୍ଚା ବଢିବାରେ ଲାଗିଛି | କାରଣ ଗତ ଥର ଏଲିନାଙ୍କୁ ବାଂଶ ପଞ୍ଚାୟତରୁ ଅଧ୍ୟକ୍ଷ ପଦ ହାତେଇବା ଆଶାରେ ନିର୍ବାଚନ ଲଢାଇ ବେଶ୍ ହଟହଟା ହୋଇଥିଲେ ସୁଜିତ୍ ଆଉ ତାଙ୍କ ଦଳ | ଚଳିତ ବର୍ଷ ନାଉଗାଁର ପୂର୍ବତନ ଅଧ୍ୟକ୍ଷା ଅମିତା ସ୍ୱାଇଁ ଏହି ପଦବୀ ପାଇଁ ବେଶ୍ ହକଦାର ଥିବା ବେଳେ ସୁଜିତଙ୍କ ଗୋଟି ଚାଳନାରେ ସେ ନୀରବ | ତେବେ ଦଳ ପଛେ ବ୍ଲକ୍ ରେ ଉଜୁଡ଼ି ଯାଉ କିନ୍ତୁ ଅଧ୍ୟକ୍ଷା ପଦ ମୋର ଦରକାର ଜିଦ୍ ରେ ଚଳିତ ଥର ମଧ୍ଯ ସୁଜିତ୍ ଆଉ ତାଙ୍କ ଦଳ ପୁଣି ପରାଜୟର ସ୍ୱାଦ ଚାଖିବାକୁ ଯାଉଛନ୍ତି ବୋଲି ଚର୍ଚା ଆରମ୍ଭ ହେଲାଣି |