କାହିଁକି ଭୋଟ ଦେବୁ ? ଆମେ ଭୋଟ ଦେବୁନି | ନିର୍ବାଚନ ସମୟରେ ନେତା ଓ କର୍ମୀମାନେ ଆସି ମାଳ ମାଳ ପ୍ରତିଶୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି | କିନ୍ତୁ ନିର୍ବାଚନରେ ଜିତିବା ପରେ ଆଉ କାହାର ଦେଖା ନାହିଁ | ଦେଶ ସ୍ୱାଧୀନତାର 73 ବର୍ଷ ପୁରିଲାଣି ହେଲେ ଆଜି ବି ଆମେ ମୌଳିକ ସୁବିଧାରୁ ବଂଚିତ ଅଛୁ | ଗମନାଗମନ ପାଇଁ ନା ଅଛି ଭଲ ରାସ୍ତା, ନା ଅଛି ପାନୀୟ ଜଳର ସୁବିଧା l ଆବାସ ଯୋଜନାରୁ ଆମେ ବଞ୍ଚିତ ଥିବାବେଳେ ଗରିବ ବୃଦ୍ଧବୃଦ୍ଧାଙ୍କୁ ମିଳୁନି ଭତ୍ତା l ତେଣୁ ଆମେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଯାଜପୁର ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ଗ୍ରାମପଞ୍ଚାୟତ ନାତୋର ଗ୍ରାମବାସୀ । ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ଯେ, ସରକାର ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ଖାମଖିଆଲି ନୀତି ଓ ସ୍ଥାନୀୟ ଶାସକ ଦଳ ନେତାଙ୍କ ଉପର ଠାଉରିଆ କାରଣରୁ ସୁଫଳ ପାଇପାରୁ ନାହାନ୍ତି ଚିଙ୍ଗୁଡ଼ିପାଳ ପଞ୍ଚାୟତବାସୀ l
ଅଧିବାସୀମାନେ ଜଙ୍ଗଲ ଜମିରେ ରହୁଥିବାରୁ ଘରବାଡ଼ି ପଟା ବହୁ ଦିନର ପାଇନଥିବା ବେଳେ ବିଶୁଦ୍ଧ ପାଣି ପାଇଁ ଗ୍ରାମବାସୀଙ୍କ ପାଇଁ ସାତ ସପନ ପାଲଟିଛି ୩ନଂ ୱାର୍ଡ ନାତୋର ଗ୍ରାମବାସୀଙ୍କ ପାଇଁ । ଜିଲ୍ଲା ପ୍ରଶାସନକୁ ଅନେକ ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତିଦୃଷ୍ଟି ଆକର୍ଷଣ କରି ନ ଥିବା କହିଛନ୍ତି ଗ୍ରାମବାସୀ। ଗ୍ରାମରେ 800ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ସେମାନେ ଜଙ୍ଗଲ ଜମିରେ ବସବାସ କରୁଥିବାରୁ ଭୂମିହୀନ ବାବଦରେ ପଟା ପାଇପାରୁ ନାହାନ୍ତି l ଗ୍ରାମକୁ ରାସ୍ତାଟିଏ ହୋଇପାରୁ ନାହିଁ l ପଥୁରିଆ ଖାଲଖମା ରାସ୍ତା ଦେଇ ଲୋକେ ଯାତାୟତ କରୁଛନ୍ତି l ଆଦିବାସୀ ସାହିର ଲୋକମାନେ କଚାଘରେ ପାଲ ଟାଙ୍ଗି ରହୁଛନ୍ତି । ଏସବୁକୁ ନେଇ ଗ୍ରାମର ମହିଳାମାନେ ପ୍ରଶାସନ ଓ ସରକାରଙ୍କ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି । ସେଥିପାଇଁ ଗଣମାଧ୍ୟମ ସମ୍ମୁଖରେ ତାଙ୍କର କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଗ୍ରାମର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଦୃଢ ନିଷ୍ପତ୍ତି ନେଇଛନ୍ତି । ପାନୀୟ ଜଳ ପାଇଁ ଏକ ଚୂଆ ଉପରେ ନିର୍ଭର କରିଥାନ୍ତି ଗ୍ରାମବାସୀ l ସେହି ଚୁଆ ପାଣି 800 ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଭରଷା । ପାଣି ପାଇଁ ଅଧିକାଂଶ ବେଳେ ଧାଡ଼ି ବାନ୍ଧି ଦିନସାରା ଠିଆ ହୋଇ ପାଣି ନେବାକୁ ପଡ଼ିଥାଏ । ଗ୍ରାମରେ କ୍ଲବ ଘର କମ୍ୟୁନିଟି ସେଣ୍ଟର ନିଜସ୍ଵ ଘର ନ ଥିବାରୁ ଗ୍ରାମର ଯୁବକମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୌଳିକ ସୁବିଧା କଥା କେବଳ କାଗଜ କଲମ ରେ ହିଁ ସୀମିତ ହୋଇ ରହିଯାଇଛି । ଅନ୍ୟପକ୍ଷରେ ଭାରତ ସରକାର ଡିଜିଟାଲ ଇଣ୍ଡିଆ ଡିଣ୍ଡିମ ପିଟୁଥିବା ବେଳେ ନେଟୱର୍କ ଏଠାରେ ଅପହଞ୍ଚ । ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠପଢାରେ ବାଧା ଉପୁଜିଥାଏ । ପିଲାମାନେ ପାଠ ପଢିବା ପାଇଁ ବିଭିନ୍ନ ପ୍ରମାଣପତ୍ର ରୁ ବଞ୍ଚିତ ହୋଉଛନ୍ତି | ଗ୍ରାମର ବିଭିର୍ନ ସମସ୍ୟା ନେଇ ଆଦିବାସୀ ଶ୍ରେଣୀର ଦଳିତ ମହିଳା ଓ ପୁରୁଷମାନେ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ପାଖକୁ ଦଉଡି ଦଉଡ଼ି ନୟାନ୍ତ ହେଲେଣି । ତେଣୁ ଏବେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭୋଟ୍ ବର୍ଜନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।