ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲାଉଥିବା ଡାକ୍ତରଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ପାଇଁ ଜୁଲାଇ ମାସ ୧ ତାରିଖରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ। ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ ଡାକ୍ତରମାନଙ୍କ ନିଷ୍ଠାପର କାର୍ଯ୍ୟ ଓ ତ୍ୟାଗର ତୁଳନା ନାହିଁ। ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିଥିବା ସମସ୍ତ ଡାକ୍ତରମାନଙ୍କୁ ଜାତୀୟ ଡାକ୍ତର ଦିବସର ଶୁଭେଚ୍ଛା । ଏହି ଅବସରରେ ଆଜି ଦିନ ୩ଟାରେ ଦେଶର ଡାକ୍ତରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ରେ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ ।
ସେ ଲେଖିଛନ୍ତି, କୋଭିଡ-୧୯ ସହ ଲଢ଼ିଥିବା ପ୍ରତ୍ୟେକ ଡାକ୍ତରଙ୍କ ପାଇଁ ମୁଁ ଗର୍ବିତ । ଡାକ୍ତର ଦିବସ ଅବସରରେ ମୁଁ ସେମାନଙ୍କୁ ସମ୍ବୋଧନ କରିବି । ଡାକ୍ତରମାନଙ୍କ ମନୋବଳ ବଢ଼ାଇବା ସହ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ଭାଗରେ ଡାକ୍ତର ଦିବସ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । କାରଣ ସମଗ୍ର ବିଶ୍ୱ ସହିତ ଭାରତ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଲକ୍ଷାଧିକ ଲୋକଙ୍କୁ ହରାଇଛି । କିନ୍ତୁ ଡାକ୍ତରଙ୍କ ଦିନରାତି ପରିଶ୍ରମ ଯୋଗୁଁ କୋଟି କୋଟି ଲୋକଙ୍କର ଜୀବନ ବଂଚିଯାଇଛି ।
ଗତ ରବିବାର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପିଏମ ମୋଦୀ ଡାକ୍ତର ରାଏଙ୍କୁ ମନେ ପକାଇଥିଲେ । ସେ କହିଥିଲେ ଯେ, ଜୁଲାଇ ୧କୁ ଜାତୀୟ ଡାକ୍ତର ଦିବାସ ରୁପେ ପାଳନ କରାଯିବ । ସମସ୍ତେ ଡାକ୍ତରମାନଙ୍କୁ ସମ୍ମାନ ଦେବା ଆବଶ୍ୟକ । କରୋନା ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ ବୋଲି ଡାକ୍ତରମାନେ ସୁନିଶ୍ଚିତ କରିପାରିଛନ୍ତି । ସୂଚନାଯୋଗ୍ୟ, ୧୯୯୧ରେ ଡାକ୍ତର ରାଏଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଡାକ୍ତର ଦିବସ ପାଳନ କରାଯାଉଛି ।