ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କିଛି ମାସ ବାକି ଥିବା ବେଳେ ଏବେ ଫୋକସ୍ରେ ରହିଛି ଅଯୋଧ୍ୟା । ଏହି ପବିତ୍ର ସହରରର ବିକାଶ କାର୍ଯ୍ୟ ନେଇ ଆଜି ନିଜେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ସହିତ ଭର୍ଚୁଆଲ ପ୍ଲାଟ୍ ଫର୍ମରେ ବିଭିନ୍ନ କାମର ସମୀକ୍ଷା କରିଛନ୍ତି
ରାସ୍ତା, ଭିତ୍ତିଭୂମି, ରେଳ ଷ୍ଟେସନ, ଏୟାରପୋର୍ଟ ସହିତ ପୁରା ଅଯୋଧ୍ୟାର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।ଗୋଟିଏ ମାସ ଭିତରେ ଏହା ହେଉଛି ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ଆଲୋଚନା । କିଛି ଦିନ ଆଗରୁ ଯୋଗୀ ଆଦିତ୍ୟନାଥଙ୍କୁ ଦିଲ୍ଲୀ ଡକା ଯାଇଥିଲା । ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ବେଳେ ଜେପି ନଡ୍ଡା ଓ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ । କୋଭିଡକୁ ନେଇ ୟୁପିରେ ସରକାର ବିରୋଧୀ ଜନମତ ଥିବାର ଚର୍ଚ୍ଚା ପରେ ବିଜେପିର ଟପ୍ ନେତା ନିଜେ ୟୁପିର କଥା ବୁଝୁଛନ୍ତି ଏବଂ ପୁଣି ଫୋକସ୍କୁ ଫେରିଛି ଅଯୋଧ୍ୟା ।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ କେଇଟା ମାସ ବାକି ଥିବା ବେଳେ ଶାସକ ମେଣ୍ଟରେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବଳ କଷାକଷି ଆରମ୍ଭ ହୋଇଛି । ଶାସକ ମେଣ୍ଟର ଅନ୍ୟତମ ପ୍ରମୁଖ ଦଳ ନିଶଦର ଅଧ୍ୟକ୍ଷ ସଞ୍ଜୟ ନିଶଦ ବିଜେପି ଆଗରେ ନୂଆ ଦାବି ରଖିଛନ୍ତି ।
ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ନାଁ ବିଜେପି ଘୋଷଣା କରୁ ବୋଲି ସେ ଦାବି କରିଛନ୍ତି । କେବଳ ଏତିକି ନୁହେଁ, ଏହା ପୂର୍ବରୁ ସଞ୍ଜୟ ନିଶଦ ଓ ଅନ୍ୟ ମେଣ୍ଟଭୁକ୍ତ ଦଳର ନେତା ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ବର୍ଥ ଦାବି କରିଥିଲେ । ଦଳର ବିଧାୟକ ଓ ସାଂସଦମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ କ୍ୟାବିନେଟ୍ରେ ସ୍ଥାନ ଦେବାକୁ ସେମାନେ ଦାବି କରିଥିଲେ ।
ସଞ୍ଜୟ ନିଶଦ କହିଥିଲେ ଯେ, ମେଣ୍ଟ ସମୟରେ ବିଜେପି ଆମକୁ କିଛି କ୍ୟାବିନେଟ୍ ପଦ ଓ ରାଜ୍ୟସଭା ଆସନର ପ୍ରତିଶ୍ରୁତି ଦେଇଥିଲା । ମୋତେ ଡେପୁଟି ସିଏମ୍ ପଦ ଦେବାକୁ ବି ସର୍ତ୍ତ ହୋଇଥିଲା, ଯାହା ପୂରଣ ହୋଇନି । ଯଦି ସେମାନେ ଆମକୁ ଦୁଃଖିତ କରନ୍ତି, ତେବେ ସେମାନଙ୍କୁ ମଧ୍ୟ ଖୁସିରେ ରହିବାକୁ ଦିଆଯିବ ନାହିଁ ।