ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟିଙ୍କୁ ମିଳିଲା ପଦ୍ମଶ୍ରୀ ସମ୍ମାନ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ ବର୍ତଣ୍ଡା ଗ୍ରାମପଞ୍ଚାୟତର କାନ୍ତିରା ଗ୍ରାମର ତାଙ୍କ ଘର । ନନ୍ଦକିଶୋରଙ୍କୁ ଏବେ ୧୦୪ ବର୍ଷ । ସେ ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ । ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଛନ୍ତି । ବୟସର ଅପରାହ୍ନରେ ବି ସେ ଥକି ଯାଇନାହାନ୍ତି । ଆଜି ବି କାନ୍ତିରା ଗ୍ରାମର ଏକ ଗଛ ମୂଳେ ପିଲାଙ୍କୁ ପାଠ ପଢାଉଛନ୍ତି । ଆଖପାଖ ଅଞ୍ଚଳରେ ସେ ନନ୍ଦ ମାଷ୍ଟ୍ରେ ବୋଲି ମଧ୍ୟ ଜଣାଶୁଣା । ତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ଏହା ଉପରେ ବିଚାର କରି ନନ୍ଦସାରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ପଲ୍ଲୀରୁ ଦିଲ୍ଲୀରେ ପହଞ୍ଚିଥିବା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୧୨ ତାରିଖରେ ନନ୍ଦସାର ଓଡ଼ିଶା ଫେରିବେ ତାଙ୍କ ପରିବାର ବର୍ଗଙ୍କ ତରଫରୁ ସୂଚନା ମିଳିଛି । ଗତ ୬ ତାରିଖ ରାତିରେ ସେ ଯାଜପୁର ରୋଡ ରେଳଷ୍ଟେସନରୁ ଟ୍ରେନ ଯୋଗେ ଦିଲ୍ଲୀ ଗସ୍ତ କରିଥିଲେ ।