କେନ୍ଦ୍ରାପଡା ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ | ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରାପଡା ପୌରାଧ୍ୟକ୍ଷା ପ୍ରାର୍ଥିନୀଙ୍କ ନାମ ଘୋଷଣା କରାଯାଇଛି | ବିଜେଡିରୁ ପୌରାଧ୍ୟକ୍ଷା ପ୍ରାର୍ଥିନୀ ଭାବେ ସରିତା ସାହୁ, କଂଗ୍ରେସ ଦଳରୁ ଲକ୍ଷ୍ମୀପ୍ରିୟା ବାରିକ ଏବଂ ବିଜେପିରୁ ମିନାକ୍ଷୀ ଦାଶଙ୍କୁ ମନୋନୀତ କରାଯାଇଛି |
ସରିତା କେନ୍ଦ୍ରାପଡା ଜିଲ୍ଲାର ଟାଣୁଆ ବିଜେଡି ନେତା ତଥା ରାଜ୍ୟ ବିଜେଡିର ସମ୍ପାଦକ ରଣଜିତ ସାହୁଙ୍କ ଧର୍ମପତ୍ନୀ । ରଣଜିତ ତାଙ୍କର ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ କରିଥିଲେ | ପ୍ରାୟ ୧୦ ବର୍ଷ ତଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ ରଣଜିତ । ଦଳରେ ଏବେ ସରିତାଙ୍କ ରହିଛି ବେଶ୍ ଦବଦବା । ସେ ଆଗରୁ ପୌରାଞ୍ଚଳର କାଉନସିଲର ରହି ଲୋକମାନଙ୍କ ସମସ୍ୟା ମଧ୍ୟରେ ନିଜକୁ ସକ୍ରିୟ ରଖିଛନ୍ତି । ଆଜି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଦଳିୟ ପ୍ରାର୍ଥିନୀଙ୍କ ସହିତ ରୋଡ୍ ସୋ କରିଥିଲେ | ସରିତାଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ଜିତାଇବାକୁ କେନ୍ଦ୍ରାପଡା ସହରବାସୀଙ୍କୁ ଅନୁରୋଧ କରିଛନ୍ତି ବିଧାୟକ |
କଂଗ୍ରେସ ଦଳରୁ ଏଥର ପୌରାଧ୍ୟକ୍ଷା ପ୍ରାର୍ଥିନୀ ହୋଇଛନ୍ତି ଲକ୍ଷ୍ମୀପ୍ରିୟା ବାରିକ । ଲକ୍ଷ୍ମୀପ୍ରିୟା ଓ ତାଙ୍କ ସ୍ବାମୀ ଗୋପୀନାଥ ବାରିକ ଉଭୟ ୯ ନମ୍ବର ଓ୍ବାର୍ଡରୁ ଆଗରୁ କାଉନସିଲର ଭାବେ ନିର୍ବାଚିତ ହୋଇ ଲୋକମାନଙ୍କ ସୁଖଦୁଃଖରେ ଭାଗିଦାର ହୋଇ ଆସିଛନ୍ତି । ଏହାଛଡା କେନ୍ଦ୍ରାପଡା ସହରରେ କଂଗ୍ରେସର ଦଳୀୟ ସଂଗଠନ ମଜଭୁତ ଥିବା ଆଲୋଚନା ହେଉଛି ।
ବିଜେପିରୁ ପ୍ରାର୍ଥିନୀ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ଧର୍ମପତ୍ନୀ ମିନାକ୍ଷୀ ଦାଶ । ବିଭିନ୍ନ ଦଳିୟ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ସମସ୍ୟାରେ ଜିଲ୍ଲା ପ୍ରଶାସନକୁ ସଂଢୁଆସୀ ଆକ୍ରମଣ କରି ଚର୍ଚ୍ଚାରେ ରହି ଆସିଛନ୍ତି ଦୁର୍ଯ୍ୟୋଧନ । ଏଥର ନିର୍ବାଚନରେ ଦଳ ତାଙ୍କ ଧର୍ମପତ୍ନୀଙ୍କ ଉପରେ କରିଛି ଭରସା । ଆଗକୁ ନିର୍ବାଚନରେ ୩ ପ୍ରାର୍ଥିନୀଙ୍କ ମଧ୍ୟରେ ଯୋରଦାର ଟକ୍କର ହେବ ବୋଲି ଆଶା କରାଯାଉଛି ।