ସଂସଦରେ କାନ୍ଦିଲେ ଦ୍ରୌପଦୀ | ପଶ୍ଚିମବଙ୍ଗର ବୀରଭୂମ ଘଟଣା ସମ୍ପର୍କରେ ଆଜି ରାଜ୍ୟସଭାରେ ମତ ରଖିବା ସମୟରେ ମହାଭାରତ ସିରିଏଲର ଦ୍ରୌପଦୀ ତଥା ବିଜେପି ସାଂସଦ ରୂପା ଗାଙ୍ଗୁଲି କାନ୍ଦି ପକାଇଛନ୍ତି | ନିଜ ବକ୍ତବ୍ୟ ରଖିବା ବେଳେ ଭାବବିହ୍ୱଳ ହୋଇଯାଇଥିଲେ ରୂପା ଗାଙ୍ଗୁଲି । ସାଂସଦ ରୂପା ଗାଙ୍ଗୁଲି କହିଛନ୍ତି ପଶ୍ଚିମବଙ୍ଗରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଠାରେ ରହିବା ବି କଷ୍ଟକର ହୋଇପଡିଛି | ତେଣୁ ରାଜନୈତିକ ଅବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସେ ଦାବି କରିଥିଲେ | ସାଂସଦ ରୂପା ଗାଙ୍ଗୁଲିଙ୍କ ରାଜ୍ୟସଭାରେ କାନ୍ଦୁଥିବାର ଏହି ଭିଡିଓ ଭାଇରାଲ ହେଉଛି |
ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି । ତେବେ ଏହି ଘଟଣା ସମ୍ପର୍କରେ ଆଜି ରାଜ୍ୟସଭାରେ ଆଲୋଚନାବେଳେ ପ୍ରବଳ ହଟ୍ଟଗୋଳ ହେବା ସହ ଗୃହକୁ ମୁଲତବୀ କରିଦିଆଯାଇଥିଲା। ରୂପା ଗାଙ୍ଗୁଲି ବୀରଭୂମର ସାଂସଦ। ତେଣୁ ସେ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ। ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାରଙ୍କ ଅପାରଗତା ପାଇଁ ଏତେ ବଡ଼ ଘଟଣା ଘଟିଲା ବୋଲି ସେ କହିଛନ୍ତି। ଏହି ସମୟରେ କଲିକତା ହାଇକୋର୍ଟ ବୀରଭୂମ ହିଂସା ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କେନ୍ଦ୍ରୀୟ ଏଜେନ୍ସିକୁ ହସ୍ତାନ୍ତର ନକରିବା ପାଇଁ ମମତା ବାନାର୍ଜୀ ସରକାରଙ୍କ ଅନୁରୋଧକୁ ସତ୍ୱେ କଲିକତା ହାଇକୋର୍ଟ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିଛି।