ଦେଶରେ ଜନସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି | ତେବେ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଥମେ ଆମେ ଦୁଇ ଆମର ଦୁଇ ବୋଲି ସ୍ଲୋଗାନ ଦିଆଯାଉଥିଲା | ପରେ ଏହାକୁ ଆମେ ଦୁଇ ଆମର ଏକ ବୋଲି ନାରା ଦିଆଯାଉଛି | କିନ୍ତୁ ଆପଣ କେବେ ଶୁଣିଛନ୍ତି ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରୀ ହରାଇବାକୁ ପଡିବ | ଆଜ୍ଞା ହଁ ମଧ୍ୟପ୍ରଦେଶର ବିଦିଶାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ସରକାରୀ ଶିକ୍ଷୟିତ୍ରୀଙ୍କ ତୃତୀୟ ସନ୍ତାନ ଅଛନ୍ତି ବିଦିଶା ଡିଇଓଙ୍କ ପକ୍ଷରୁ ସେମାନଙ୍କୁ ’କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି |
ସୂଚନା ଥାଉ କି, ୨୬ ଜାନୁୟାରୀ ୨୦୦୧ ର ପରିବାର କଲ୍ୟାଣ ଆଦେଶ ଅନୁଯାୟୀ, ସରକାରୀ କର୍ମଚାରୀମାନେ ୨ ରୁ ଅଧିକ ପିଲା ଜନ୍ମ କରିପାରିବେ ନାହିଁ | ତେବେ ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ୯୮୯ ଶିକ୍ଷୟିତ୍ରୀଙ୍କର ତିନୋଟି ସନ୍ତାନ ଥିବା ଜଣାଯାଇଛି | ଏହି ପରିପ୍ରେକ୍ଷୀରେ, ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ’କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି | ୧୫ ଦିନ ମଧ୍ୟରେ ଏହାର ଉତ୍ତର ରଖିବାକୁ କୁହାଯାଇଛି | କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କେବଳ ୧୮୯ ଶିକ୍ଷୟିତ୍ରୀ ସେମାନଙ୍କ ଉତ୍ତର ରଖିଛନ୍ତି। ଶିକ୍ଷା ବିଭାଗର ନୋଟିସ୍ ର ଉତ୍ତରରେ ଶିକ୍ଷୟିତ୍ରୀମାନେ ବିଭିନ୍ନ ପ୍ରକାରର ଯୁକ୍ତି ଦର୍ଶାଇଛନ୍ତି। କେହି କେହି ସମ୍ପର୍କୀୟଙ୍କ ଦ୍ୱାରା ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବାବେଳେ କେତେକ କହିଛନ୍ତି ଯେ ଟିଟି ଅପରେସନ୍ ବିଫଳ ହୋଇଥିବାରୁ ତୃତୀୟ ସନ୍ତାନ ଜନ୍ମ ହୋଇଛି।