ପାକିସ୍ତାନର ଏକ ମସଜିଦରେ ହୋଇଛି ଆତ୍ମଘାତୀ ଆକ୍ରମଣ | ଶୁକ୍ରବାର ପେଶୱାର ମସଜିଦରେ ନମାଜ ପଢିବା ସମୟରେ ହୋଇଛି ଏହି ବିସ୍ଫୋରଣ | ଫଳରେ ଚାଲିଯାଇଛି ୩୦ ଜଣଙ୍କ ଜୀବନ | ୫୦ରୁ ଅଧିକ ଆହତ ହୋଇଥିବା ମିଳିଛି ସୂଚନା | ଆହତ ମାନଙ୍କୁ ନିକଟସ୍ଥ ଲେଡି ରିଡିଂ ହସ୍ପିଟାଲରେ ଭର୍ତି କରାଯାଇଛି | ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି |
https://youtu.be/GE8qpDwxq90
ସୂଚନା ଅନୁଯାୟୀ, କୋଚା ରିସାଲଦାର ଅଞ୍ଚଳର କିସା ଖୱାନି ବଜାରରେ ଥିବା ମସଜିଦରେ ଘଟିଛି ଏହି ବିସ୍ଫୋରଣ। ପେଶୱାରର ସିସିପିଓଙ୍କ କହିବା ଅନୁଯାୟୀ, କୋଚା ରିସାଲଦାର ସ୍ଥିତ ଇମ୍ବାବାଡରେ ପୋଲିସ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଆକ୍ରମଣକାରୀମାନେ ଦୁଇଜଣ ପୋଲିସ ଗାର୍ଡଙ୍କୁ ଗୁଳି ଚଳାଇଥିଲେ | ପରେ ବିସ୍ଫୋରକ ସାମଗ୍ରୀ ନେଇ ମସଜିଦ ପରିସରରେ ପ୍ରବେଶ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ପାକିସ୍ତାନର କ୍ୱେଟାରେ ହୋଇଥିଲା ବିସ୍ଫୋରଣ । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସମେତ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 24 ଜଣ ଆହତ ହୋଇଛନ୍ତି।