ଭୁବନେଶ୍ୱର(ଏନଏନଏସ୍): ଆଜିଠାରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସକାଳୁଆ ଆରମ୍ଭ ହୋଇଯାଇଛି । ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍) ଆସନ୍ତା ୨୧ ତାରିଖରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନୁଷ୍ଠିତ ହେବ। ଏନେଇ ବୈଠକ ପୂର୍ବରୁ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ନେଇ ପୂର୍ବ ପ୍ରସ୍ତୁତି କରାଯିବ। ପ୍ରଧାନ ଶିକ୍ଷକମାନେ ବୈଠକ ସମ୍ପର୍କରେ ବହୁ ପୂର୍ବରୁ ଅଭିଭାବକମାନଙ୍କୁ ଅବଗତ କରାଇବେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଦୁଇ ଘଣ୍ଟା ଧରି ବୈଠକ ଚାଲିବ। ଏହି ସମୟରେ ସ୍କୁଲରେ ପର୍ୟ୍ୟାପ୍ତ ପରିମାଣର ପାନୀୟ ଜଳର ସୁବିଧା ପାଇଁ ବ୍ୟବସ୍ଥା କରାଯିବ ।
ଅନ୍ୟପକ୍ଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ପର୍ୟ୍ୟନ୍ତ ଚାଲିବ। ଏଥିସହ ଖରାର ପ୍ରକୋପକୁ ଦେଖି ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାର ବିଦ୍ୟାଳୟଗୁଡିକର ନିର୍ଘଣ୍ଟ ସମୟକୁ ପରିବର୍ତ୍ତନ କରିପାରିବେ । ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ସମସ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଯତ୍ନବାନ୍ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।