ଭୁବନେଶ୍ୱର(ଏନଏନଏସ୍): ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି। ରାଜ୍ୟରେ ଆରମ୍ଭ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା । ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିଛି। ଅନ୍ୟପଟେ ଦିନେ କି ୨ ଦିନ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ ଆଗାମୀ ୪ରୁ ୫ଦିନରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହା ଫଳରେ ଆଗାମୀ ୪ରୁ ୫ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ଡିଗ୍ରା ପର୍ୟ୍ୟନ୍ତ କମିପାରେ। ସେପଟେ ପଶ୍ଚିମ- କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।