ବାଲ୍ୟ ବିବାହ ରୋକିବା ପାଇଁ ଆରମ୍ଭ ହେଲା ମିଶନ ଉଡାନ୍ | କ୍ଷୁଦ୍ର ଚଳଚିତ୍ର ମିଶନ ଉଡାନ ଆଜି ହୋଇଛି ଉନ୍ମୋଚିତ। ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଏହି କ୍ଷୁଦ୍ର ଚଳଚିତ୍ରକୁ ଉଦ୍ଘାଟନ କରିଥିଲେ | ଏଥିସହ ଏହାର ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା ।
ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ନେଇ ୫୦ ଦିନିଆ ଅଭିଯାନ ଜାରି ରହିଛି | ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ମିତ ୧୧ ମିନିଟ୍ର କ୍ଷୁଦ୍ର ଚଳଚିତ୍ର ମିଶନ୍ ଉଡାନ୍ ଉଦଘାଟିତ ହୋଇଥିଲା । ଏହି କ୍ଷୁଦ୍ର ଚଳଚିତ୍ର ବାଲ୍ୟ ବିବାହ କାହାଣୀକୁ ନେଇ ଆଧାରିତ | ଏଥିରେ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଓ ଏହା ଏକ ଦଣ୍ଡନିୟ ଅପରାଧ ବୋଲି ଦର୍ଶାଯାଇଛି | ଶିଶୁମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଏହା ବନ୍ଦ ହେବାର ଆବଶ୍ୟକତା ଉପରେ ଏହି ଚଳଚିତ୍ର ଆଧାରିତ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ପ୍ରକାଶ କରିଛନ୍ତ । ପାଠପଢିବା ଶିଶୁମାନଙ୍କର ମୌଳିକ ଅଧିକାର, ତେଣୁ ବାଲ୍ୟ ବିବାହ କିଭଳି ବନ୍ଦ କରାଯିବ ସେ ନେଇ ଏହି ଚଳଚିତ୍ରରେ ପ୍ରଦର୍ଶିତ କରାଯାଇଛି । ଏହି ଉଦ୍ଘାଟନି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ , ସମାଜ ସେବୀ ବିନାଶ ମିଶ୍ର ଉପସ୍ଥିତ ଥିଲେ ।