ମୟୁରଭଞ୍ଜ(ଏନଏନଏସ୍): ସକ୍ରିୟ ହେଉଛନ୍ତି ଲୁଟେରା । ପଲସର ବାଇକରେ ଆସି ଝାମ୍ପି ନେଲେ ସୁନା । ନିରୁପାୟ ପୋଲିସ । ଗାଁ ଦାଣ୍ଡରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କଲେ ଦୁର୍ବୁତ୍ତ । ଆଖି ପିଛୁଳାକେ ଖସି ପଳାଇଲେ ଲୁଟେଲା । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ବଇଞ୍ଚି ଡିହାରେ ।
ଗତକାଲି ପ୍ରାୟ ଦିନ ଗୋଟାଏ ସମୟରେ ଧନଞ୍ଜୟ ପାଳଙ୍କ ଝିଅ ରୁଚୁସ୍ମିତା ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ମୁହଁରେ ରୁମାଲ ବାନ୍ଧି ଆସି ଠିକଣା ପଚାରିବା ବାହାନାରେ ତାଙ୍କ ବେକରୁ ରାଣିହାର ଓ ମଙ୍ଗଳସୂତ୍ର ଛିଣ୍ଡାଇ ନେବା ବେଳେ ରୁଚିସ୍ମିତା ଦୁର୍ବୁତ୍ତ ର ଗୋଡକୁ ଧରି ନେଇ ପାଟି କରିଥିଲେ । ପାଟିଶୁଣି ଗାଁର କିଛି ସ୍ତ୍ରୀ ଲୋକ ପହଞ୍ଚିଲା ବେଳେକୁ ଲୁଟେରା ଧକ୍କାମାରି ଦୌଡି ପଳାଇଥିଲେ । କିଛି ଦୂରରେ ଲୁଟେରାର ସହେଯାଗୀ ପଲସର ବାଇକୁ ଷ୍ଟାର୍ଟ କରି ରଖିିଥିଲା ଦୁହେଁ ମିଶି ଆଖି ପିଛୁଳାକେ ଗାୟବ ହୋଇଯାଇଥିଲେ। ରୁଚିସ୍ମିତା ମୋରଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବା ଦେଖା ଦେଇଛି ।