ଜଳଛତ୍ର କେନ୍ଦ୍ର ପାଣିରେ ବିଷ ମିଶାଇଲେ ଦୁର୍ବୃତ୍ତ | ଜଳଛତ୍ର କେନ୍ଦ୍ରରେ ଥିବା ପାଣି ମାଠିଆରେ କେହି ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ବିଷାକ୍ତ ପାଣି ପିଇ ୩ ଗୁରୁତର ହୋଇପଡିଛନ୍ତି | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲାକାନଗିରି ଜିଲା ଏମଭି-୭୯ ଥାନା ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ।
ଏମପିଭି ୪୯ ଗ୍ରାମ ମୁଖ୍ୟ ଛକଠାରେ ସପ୍ତାହ ତଳେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ତେବେ ଗତକାଲି ଜଳଛତ୍ର କେନ୍ଦ୍ରର ମାଠିଆ ପାଣିରେ କେହି ଦୁର୍ବୁତ୍ତ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି | ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅସୁସ୍ଥମାନେ ହେଲେ ଏମପିଭି ୪୯ ଗ୍ରାମର ବିଶାଖା ଗୋଲଗ ( ୧୩ ) , ଦେବବ୍ରତ କୋଏଲ ( ୨୦ ) ଏବଂ ଏମଭି ୧୧୬ ଗ୍ରାମର ତୁସାର ମଣ୍ଡଳ ( ୨୦ ) । ପୋଲିସ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।