ଯାଜପୁର ,(ଏନଏନଏସ ଓଡ଼ିଆ/ ୩୧.୦୩): ସୁକିନ୍ଦା ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ଜୟକୃଷ୍ଣ ବେହୁରାଙ୍କର ଏକାଦଶାହରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ଓ ପୁର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଗତ ୨୧ତାରିଖରେ ଏହି ଦିବଂଗତ ରାଜନେତାଙ୍କର ସୁକିନ୍ଦା ସ୍ଥିତ ବାସଭବନରେ ପରଲୋକ ଘଟିଥିଲା। ଶ୍ରୀ ବେହୁରା ଗ୍ରାଜୁଏସନ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ପଢା ସାରିବା ପରେ ରାଜନୀତିରେ ପାଦ ଦେଇଥିଲେ । ୧୯୭୪ ମସିହାରେ ପ୍ରଥମେ ସୁକିନ୍ଦା ଗଡ ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟୀ ହେବାସହ ୧୯୮୦ ମସିହାରୁ ଲଗାତାର ଦୁଇଥର ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ୨୦୦୦ମସିହାରେ ଜାତୀୟ କଂଗ୍ରେସ ଦଳରୁ ଟିକେଟ ପାଇ ସୁକିନ୍ଦା ଆସନରୁ ବିଧାୟକ ଭାବେ ନିର୍ବାଚନ ଲଢ଼ିଥିଲେ। ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ବେହୁରାଙ୍କର ଗତ କିଛି ଦିନ ହେବ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁନଥିଲା। ଶ୍ରୀ ବେହୁରା ଏକାଧାରରେ ଜଣେ ଦକ୍ଷ ରାଜନେତା,ଆଇନଜୀବୀ ଓ ମିଷ୍ଠି ଭାଷୀ ମଣିଷ ଭାବେ ସୁକିନ୍ଦା ଅଞ୍ଚଳରେ ବେଶ ଜଣାଶୁଣା ଥିଲେ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଶେଷଦର୍ଶନ ପାଇଁ ବିଭିନ୍ନ ଦଳର ଅନେକ ରାଜନେତା,ଆଇନଜୀବୀ, ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହୋଇଥିଲା। ଗୁରୁବାର ସଂଧ୍ୟାରେ ସୁକିନ୍ଦା ବେହୁରା ସାହି ସ୍ଥିତ ବାସଭବନରେ ଏକାଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ପୂର୍ବତନ ନଗରପାଳ ସବିତା ରାଉତ, ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧକ୍ଷା ଭାଗ୍ୟଲକ୍ଷ୍ମି ରାଉତ୍, ପ୍ରତାପ ପଟ୍ଟନାୟକ, ବିବେକାନନ୍ଦ ବୋଷ, ସ୍ଵାଧୀନ ଦାସ, ଜନ୍ମଜୟ ବଳସାମନ୍ତ୍ତ, ଅମଳେନ୍ଦୁ ବେହୁରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ରାଜନେତା,ଆଇନଜୀବୀ,କ୍ରୀଡାବିତ୍, ଶିକ୍ଷାବିତ ଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସମାଗମ ହୋଇଥିଲା। ଏହି ଉପଲକ୍ଷେ ଶ୍ରୀ ବେହୁରାଙ୍କ ଜୀବନ ଉପରେ ଲିଖିତ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା।